ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସମସ୍ତ ଭୋଟର ଏକଜୁଟ ହୋଇ କୁତ୍ରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ମାଲୁପଡ଼ା ଗ୍ରାମବାସୀ ନିଜ ଗ୍ରାମକୁ ୯ ସରପଞ୍ଚ ପ୍ରାର୍ଥୀଙ୍କୁ ଡ଼କାଇଥିଲେ। ସେଥିମଧ୍ୟରୁ ୮ଜଣ ଆସିଥିଲେ। ଗ୍ରାମପଞ୍ଚାୟତ ତଥା ଗ୍ରାମର ଉନ୍ନତି ସକାଶେ ନିଆରା ଢଙ୍ଗରେ ୭ଟି ପ୍ରଶ୍ନ ଦେଇ ପରୀକ୍ଷା କରିଥିଲେ। ଏଥିରେ ଯେଉଁ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହେବେ ତାଙ୍କୁ ଭୋଟ ଦେବୁ ବୋଲି କହିଥିଲେ।

ଭୋଟରମାନଙ୍କର ପ୍ରଥମ ପ୍ରଶ୍ନ ହେଲା ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କଣ। ଦ୍ୱିତୀୟ ପ୍ରଶ୍ନ ଆପଣ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଆଗାମୀ ୫ ବର୍ଷ ପାଇଁ କଣ ଲକ୍ଷ୍ୟ ରହିବ। ତୃତୀୟ ପ୍ରଶ୍ନ ଯଦି ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି, ତାହେଲେ ପୂର୍ବରୁ କରିଥିବା ୫ଟି ନିଃସ୍ବାର୍ଥ ସେବା କଣ। ଚତୁର୍ଥ ପ୍ରଶ୍ନ ଏବେ ଯେମିତି ଘର ଘର ବୁଲି ଭୋଟ ମାଗୁଛନ୍ତି ସେହିଭଳି ନିର୍ବାଚିତ ହେବା ପରେ ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି? ପଞ୍ଚମ ପ୍ରଶ୍ନ ଆପଣଙ୍କ ସ୍ବପ୍ନର ଗ୍ରାମ ପଞ୍ଚାୟତ କିଭଳି ହେବା ଆବଶ୍ୟକ। ଷଷ୍ଠ ପ୍ରଶ୍ନ ହେଲା ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନସଂଖ୍ୟା ଅଛନ୍ତି। ସପ୍ତମ ପ୍ରଶ୍ନ ପୂର୍ବରୁ ଥିବା ସରପଞ୍ଚଙ୍କ ବିଷୟରେ ବର୍ଣ୍ଣନା। ୮ଜଣଙ୍କ ମଧ୍ୟରୁ ମାତ୍ର ୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିର୍ବାଚନ ସମୟରେ ମାଳମାଳ ନେତା ବୁଲିବୁଲି ଭୋଟ ଭିକ୍ଷା କରୁଥିବା ସହିତ ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରି ମାଲୁପଡ଼ାବାସୀ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।