ଛତ୍ରପୁର, ୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ବ୍ଲଳ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି। ଫଳରେ ଗର୍ଭବତୀ, ଶିଶୁମାନେ ବିଶେଷ ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଦୀର୍ଘ ମାସ ହେଲା ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଗର୍ଭବତୀ ଓ ଶିଶୁମାନେ ସମସ୍ୟା ଦେଇ ଗତି କରୁଛନ୍ତି । ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ୯ ମାସ ହେଲା ବନ୍ଦ ରହିବା ପରେ ୩ ମାସ ହେଲା କେବଳ ଖାଦ୍ୟ କେନ୍ଦ୍ରର ସହାୟିକାଙ୍କ ଦ୍ୱାରା ବଣ୍ଟନ ହେଉଥିଲା ତାହା ମଧ୍ୟ ପୁଣି ବନ୍ଦ ହୋଇଯାଇଛି । ୪ ତାରିଖରେ ଜିଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଗାଁରେ ବୈଠକ ହୋଇଥିଲା। ଏହାସତ୍ତ୍ୱେ ସମସ୍ୟା ସମଧାନ ନ ହେବାରୁ ସୋମବାର ଗ୍ରାମବାସୀ ଛତ୍ରପୁର ଆସି ଜିଲାପାଳ ଅନୁପସ୍ଥିତ ଥିବାରୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ। ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀ ବୁଧବାର ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ଗାଁର ଭଦ୍ରବ୍ୟକ୍ତି ଜତିରାଜ ପ୍ରଧାନ କହିଛନ୍ତି, ଏସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଜିଲାପ୍ରଶାସନ, ଜିଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓଙ୍କୁ ଜଣାଇଥିଲୁ । ଏବେ ୨ ଦିନ ସମୟ ମଗାଯାଇଛି ସମସ୍ୟା ସମାଧାନ ନ ହେଲେ ଗୁରୁବାର ଆଇନର ଆଶ୍ରୟ ନେବୁ ଏବଂ ଗ୍ରାମବାସୀ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି । ସିଡିପିଓ ଘଣ୍ଟ ଘୋଡାଉ ଥିବା
ନେଇ ଗାଁ ସଭାପତି ଅଶୋକ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି ।