Advertisement

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ଗାଁଠାରୁ ଦୁଇ କିମି ଦୂର ପର୍ଯ୍ୟନ୍ତ ଶ୍ରମଦାନ କରି ପାଇପ ଯୋଗେ ଗାଁରେ ଝରଣା ପାଣି ପହଞ୍ଚାଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ କୈାଣସି ଦୁର୍ଗମ ଅଞ୍ଚଳର ନୁହେଁ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ କେ ଦଣ୍ଡାବାଡ଼ ଗାଁର ଜ୍ବଳନ୍ତ ଉଦାହରଣ। ଗ୍ରାମବାସୀ କହିବା ଅନୁସାରେ, ତାଙ୍କ ଗ୍ରାମରେ ୮୦ ପରିବାର ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁ ଚାଷ। ବିଶେଷ କରି ଗାଁ ଲୋକଙ୍କ ପାଇଁ ଦୀର୍ଘବର୍ଷ ତଳେ ପ୍ରଶାସନ ପକ୍ଷରୁ ଦୁଇଟି ନଳକୂଅ ଖୋଳାଯାଇଥିଲା। ସେଥିରେ ଠିକ୍‌ ଭାବେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ନାଳ ପାଣି ବ୍ୟବହାର କରୁଥିଲେ। ତେଣୁ ନାନା ରୋଗର ଶିକାର ହେଉଥିଲେ। ଏଥିପାଇଁ ଗ୍ରାମବାସୀ ପ୍ରଶାସନ ନିକଟକୁ ଯାଇ ପାଇପ ପାଣି ଯୋଗାଇ ଦେବାକୁ ବହୁବାର ଦାବି କରିଥିଲେ। ହେଲେ ପ୍ରଶାସନ ତାଙ୍କ ଗୁହାରିକୁ କର୍ଣ୍ଣପାତ କରି ନ ଥିଲେ। ଶେଷରେ ହତାଶ ହୋଇ ଗ୍ରାମବାସୀ ଝରଣା ପାଣିକୁ ଗାଁକୁ ଆଣିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ଗାଁ ବୈଠକ କରି ପାଇପ କିଣିବା ଲାଗି ପ୍ରତି ଘରୁ ଚାନ୍ଦା ଆଦାୟ କରିଥିଲେ। ଏଥିରେ ୮୦ ରୁ ୯୦ ହଜାର ଟଙ୍କା ଆଦାୟ କରି ପାଇପ କିଣିଥିଲେ। ମହିଳା ପୁରୁଷ, ଯୁବତୀ, ଯୁବକ କୋଡ଼ି କୋଦାଳ ଧରି ୧୦ରୁ ୧୨ ଦିନ ଅବିଶ୍ରାନ୍ତ ଶ୍ରମଦାନ କରିଥିଲେ। ଘୁଷୁରିମାଳି ପାହାଡ଼ ତଳେ ବହି ଯାଉଥିବା ଝରଣା ପାଣିକୁ ପାଇପ ପକାଇ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚାଇଥିବା ଦେଖିବାକୁ ମିଳିଛି। ଏଥିରେ ଯୁବକମାନେ ଗାଁ ଦାଣ୍ଡରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରି ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହ ଗାଧୁଆ ପାଧୁଆ, ଲୁଗାସଫାଠାରୁ ଆରମ୍ଭ କରି ଚାଷକାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରୁଥିବା ଗାଁର ବକ୍ସି ମେଲେକା, ଓ୍ବାର୍ଡ ସଭ୍ୟ ନିର ହିକ୍‌କା, ସିନ୍ଧୁ ମିଣିଆକା, ପାତ୍ର ମେଲେକା ପ୍ରମୁଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ। କୁଲି କାମ କରି ମଧ୍ୟ ଗାଁ ମୁଣ୍ଡରେ ଏକ ଟାଙ୍କି ନିର୍ମାଣ କରିବେ ବୋଲି କହିଛନ୍ତି। ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ‘ବସୁଧା’ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। କେଉଁଠି ନା କେଉଁଠି ଫେଲ୍‌ ମାରୁଛି। କିନ୍ତୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରି ଗାଁକୁ ପାଣି ଆଣିବା ଏକ ପ୍ରକାର ସଫଳ ହୋଇ ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ସାଜିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share