
ପରଜଙ୍ଗ,୨୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍ ସମସ୍ୟାକୁ ନେଇ ଗୁରୁବାର ସକାଳୁ ରାସ୍ତାରୋକୋ କରିଥିଲେ ଶତାଧିକ ମହିଳା ଓ ପୁରୁଷ। ପ୍ରାୟ ୫ଦିନ ହେବ ୧୧କେଭି ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗି ଯାଇଥିବାରୁ ବରକଟା, ଜାମୁନାଳି, ମୁଣ୍ଡିଆରଗୁଡ଼ି ଗାଁର ଲୋକମାନେ ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନ ଥିଲା। ଯାହାକୁ ନେଇ ୩ ଗାଁର ବାସିନ୍ଦା ବଡ଼କମର-ପଙ୍ଗାତିରା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକ ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା। ପ୍ରାୟ ୨ ଘଣ୍ଟା ରାସ୍ତା ଅବରୋଧ ପରେ ପରଜଙ୍ଗ ପୋଲିସ ଏବଂ ବିଦ୍ୟୁତ୍ ବିଭାଗର ବିଭାଗୀୟ ଅଧିକାରୀ ପହଞ୍ଚି ଖୁବ୍ଶୀଘ୍ର ଖୁଣ୍ଟ ପୋତା ଯାଇ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।