ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କ ଆଜୀବନ ପାଠପଢ଼ା ଖର୍ଚ୍ଚ ବହନ କରିବେ ଭିମ୍‌ସାର ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀ

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ଗ୍ରାମର ଶ୍ରୀରାମବୁଢ଼ା ଜଙ୍ଗଲ ମଧ୍ୟରେ ଥିବା ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଙ୍କ ମା’ କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ଶିଶୁ କନ୍ୟାକୁ ସେ ପାଖରେ ରଖିବା ପାଇଁ ଦାବି କରି ନାହାନ୍ତି। ଆଗକୁ ଯଦି ସେ ପାଖରେ ରଖିବାକୁ ଦାବି କରନ୍ତି ତେବେ ତାଙ୍କର କାଉନସେଲିଂ ପରେ ଶିଶୁକନ୍ୟାଙ୍କୁ ହସ୍ତାନ୍ତର କରାଯିବ। ଏ ନେଇ ଜିଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ସମ୍ବଲପୁର ଶିଶୁ ସୁରକ୍ଷା ୟୁନିଟ୍‌ ଅଧ୍ୟକ୍ଷା ସୁଚିସ୍ମିତା ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ଶିଶୁଟି ଭିମ୍‌ସାରରେ ଚିକିତ୍ସାଧୀନ ରହିଛି। ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଅନେକ ଦମ୍ପତି ଆଗ୍ରହୀ ଅଛନ୍ତି। ହେଲେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ନ ହେଲା ପର୍ଯ୍ୟନ୍ତ ହସ୍ତାନ୍ତର ନେଇ କିଛି କହିବା ଉଚିତ ହେବ ନାହିଁ। ସେ ଡିସ୍‌ଚାର୍ଜ ହେଲା ପରେ ଶିଶୁ ସୁରକ୍ଷା ୟୁନିଟ୍‌ ଅଧିନସ୍ଥ ବାଲନିକେତନରେ ରଖାଯାଇ ତା’ର ଯତ୍ନ ନିଆଯିବ।

ସେଠାରେ ସବୁଦିନ ପାଇଁ ରହିବ ନାଁ ପ୍ରକୃତ ମା’ଙ୍କୁ ହସ୍ତାନ୍ତର କରାଯିବ ଅଥବା ପୋଷ୍ୟ ସନ୍ତାନ ଭାବେ କୌଣସି ଆଗ୍ରହୀ ଦମ୍ପତିଙ୍କୁ ହସ୍ତାନ୍ତର କରାଯିବ ସେ ନେଇ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଭିମ୍‌ସାର ଭେଷଜ ବିଶେଷଜ୍ଞ ଡା. ଶଙ୍କର ରାମଚନନ୍ଦାନୀ କହିଛନ୍ତି, ୨-୩ ଦିନ ମଧ୍ୟରେ ଶିଶୁଟିକୁ ଡିସ୍‌ଚାର୍ଜ କରାଯିବ। ସେ ନିଜେ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ଅଛନ୍ତି। ଯଦି ଏହା ସମ୍ଭବ ନ ହୁଏ ତା’ହେଲେ ଶିଶୁକନ୍ୟାକୁ ଯିଏ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିବେ ସେ ତାଙ୍କର ଆଜୀବନ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।

Share