ଯନ୍ତରମନ୍ତରରେ ରାତି ସାରା ଧାରଣାରେ ବସିଲେ ଖେଳାଳି: ମୋଦିଙ୍କ ଭେଟିବାକୁ ଧରିଲେ ଜିଦ୍‌

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବିଶ୍ୱ ପଦକ ବିଜେତା ବିନେଶ ଫୋଗାତଙ୍କ ଦ୍ୱାରା କରାଯାଇଛି। ବୁଧବାର ରାତି ସାରା ଅନେକ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରରେ ବସି ବ୍ରଜଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ପ୍ରଦର୍ଶନ ଆଜି ମଧ୍ୟ ଜାରି ରହିବ। କୁସ୍ତିଯୋଦ୍ଧାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଦାବି କରିଛନ୍ତି।
ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ, ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷି ମଲିକ, ବିଶ୍ୱ ଚାମ୍ପିଅନସିପ ପଦକ ବିଜେତା ସରିତା ମୋର୍‌, ସଂଗୀତା ଫୋଗେତ, ସତ୍ୟବ୍ରତ ମଲିକ, ଜିତେନ୍ଦ୍ର କିହ୍ନା ଏବଂ କମନୱେଲଥ ଗେମ୍ସ ପଦକ ବିଜେତା ସୁମିତ ମଲିକ ଏହି ରେସଲରମାନଙ୍କ ମଧ୍ୟରେ ଅଛନ୍ତି। ମୋଟ ୩୦ କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ କରୁଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ତଥା ଅଲିମ୍ପିଆନ୍‌ ଭିନେଶ ବୁଧବାର କାନ୍ଦି କାନ୍ଦି ଏଭଳି ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ରହିଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି। ତାଙ୍କ ସହିତ ଏଭଳି ଘୃଣ୍ୟ ଘଟଣା ଘଟି ନ ଥିଲେ ମଧ୍ୟ ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ପକ୍ଷରୁ ତାଙ୍କୁ ହତ୍ୟା ଧମକ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏହା ସହିତ ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Share