ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ

ନୂଆଦିଲ୍ଲୀ, ୨୭ା୧୨(ପି.ଟି.): ବିବାଦ ଘେରରେ ରହିଥିବା ଏମ୍‌ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ ବିରୋଧ କରି ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବା ପରେ ଏବେ ଭିନେଶ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ‘ଏକ୍ସ’ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ପୋଷ୍ଟ କରିଥିବା ଏହି ଚିଠି ଜରିଆରେ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଥିବା ଘୋଷଣା କରିଛନ୍ତି। ଗତ ଗୁରୁବାର ହୋଇଥିବା ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ବ୍ରିଜ୍‌ ଭୂଷଣଙ୍କ ଅନୁଗତ ଗୋଷ୍ଠୀ ୧୫ଟି ପଦବୀରୁ ୧୩ଟିରେ ବିଜୟଲାଭ କରିଛନ୍ତି। ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବ୍ରିଜ୍‌ ଭୂଷଣଙ୍କ ଅନୁଗତଙ୍କୁ ଡବ୍ଲ୍ୟୁଏଫ୍‌ଆଇ ପ୍ରଶାସନରେ ସ୍ଥାନ ନ ଦେବା ଲାଗି କୁସ୍ତିଯୋଦ୍ଧାମାନେ ଦାବି କରିଥିଲେ। ନିର୍ବାଚନ ପରେ ରିଓ ଅଲିମ୍ପିକ ବ୍ରୋଞ୍ଜ ବିଜେତା ସାକ୍ଷୀ ମଲିକ ଖେଳରୁ ତାଙ୍କର ଅବସର ଘୋଷଣା କରିଥିଲେ। ତେବେ ପରବର୍ତ୍ତୀ ସମୟରେ ନବନିର୍ବାଚିତ ପରିଚାଳନା କମିଟି ନିଷ୍ପତ୍ତି ନେବାବେଳେ ସମ୍ବିଧାନର ଅନୁସରଣ କରି ନାହିଁ ବୋଲି ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିଥିଲା। ବର୍ତ୍ତମାନ ପାଇଁ ଏହି କ୍ରୀଡ଼ା ମହାସଂଘର ପରିଚାଳନା ପାଇଁ ଏକ ଆଡ୍‌ହକ ପ୍ୟାନେଲ ଗଠନ କରିବାକୁ ଭାରତୀୟ ଅଲିମ୍ପିକ ଆସୋସିଏଶନକୁ କହିଛି। ଡବ୍ଲ୍ୟୁଏଫ୍‌ଆଇର ନୂଆ ପ୍ୟାନେଲ ଉଚିତ ପ୍ରକ୍ରିୟା ପାଳନ ନ କରି ତରବରିଆଭାବେ ୧୫ବର୍ଷରୁ କମ୍‌ ଏବଂ ୨୦ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ପାଇଁ ଦିନ ଧାର୍ଯ୍ୟ କରିଥିଲା। ପ୍ରସ୍ତୁତି ଲାଗି କୁସ୍ତିଯୋଦ୍ଧାଙ୍କ ପାଇଁ ଯଥେଷ୍ଟ ସମୟର ଅଭାବ ରହିଥିଲା। ଏହି କାରଣରୁ ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରାଯାଇଥିବା ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

Share