Categories: ଖେଳ

କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍‌ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି ଉପସ୍ଥାପନ କରି ନ ଥିଲେ। ତାହା ପ୍ରମାଣ କରିବାକୁ ଯାଇ ଭିନେଶ ଫୋଗତ ରବିବାର ସୋସିଆଲ ମିଡିଆରେ ତାରିଖ ନ ଥିବା ଏକ ଚିଠିର ନକଲ ଶେୟାର କରିଛନ୍ତି। ପ୍ରସ୍ତୁତି ଲାଗି ସେମାନେ କେବଳ ଅଗଷ୍ଟ ପର୍ଯ୍ୟନ୍ତ ଅତିରିକ୍ତ ସମୟ ମାଗିଥିଲେ। ଯୌନ ଶୋଷଣ ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ପଦବୀରୁ ବ୍ରିଜ୍‌ଭୂଷଣ ଶରଣ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ସାମୟିକ ମହାସଂଘର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଏକ ଆଡ୍‌ହକ କମିଟି ଗଠନ କରିଥିଲା। କମିଟି ୬ ଜଣ ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ଲାଗି ଏକ ବାଉଟ ଟ୍ରାଏଲ ବ୍ୟବସ୍ଥା କରିଥିଲା। ମାତ୍ର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ସମସ୍ତେ ସମ୍ପୂର୍ଣ୍ଣ ଟ୍ରାଏଲ୍‌ରେ ଭାଗ ନେବା ଉଚିିତ ବୋଲି ଉଦୀୟମାନ କୁସ୍ତିଯୋଦ୍ଧାମାନେ ମତବ୍ୟକ୍ତ କରିଥିଲେ। ଭିନେଶ କହିଛନ୍ତି, ସେମାନେ ଅନ୍ୟ କୁସ୍ତିଯୋଦ୍ଧାଙ୍କ ଭଳି ସମ୍ପୂର୍ଣ୍ଣ ଟ୍ରାଏଲରେ ଭାଗ ନେବାକୁ ଚାହାନ୍ତି। ଯୌନ ଶୋଷଣ ମାମଲାରେ ଡବ୍ଲ୍ୟୁଏଫ୍‌ଆଇର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂ ଗିରଫ ଦାବିରେ ବହୁ ଦିନ ଧରି ଧାରଣାରେ ବସିଥିବାରୁ ସିଲେକ୍ସନ ଟ୍ରାଏଲରେ ଭାଗ ନେବା ଲାଗି ନିଜକୁ ଭଲରୂପେ ପ୍ରସ୍ତୁତ କରିପାରି ନ ଥିବାରୁ ପ୍ରସ୍ତୁତି ଲାଗି ସେମାନଙ୍କୁ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯାଉ ଏବଂ ସେହି ଅନୁସାରେ ସିଲେକ୍ସନ ଟ୍ରାଏଲକୁ ମଧ୍ୟ ଘୁଞ୍ଚାଇ ଦେବାଲାଗି କ୍ରୀଡ଼ା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଚିଠିଟିରେ ବଜରଙ୍ଗ ପୁନିଆ (୬୫କେଜି), ସାକ୍ଷୀ ମଲିକ (୬୨କେଜି), ତାଙ୍କ ସ୍ବାମୀ ସତ୍ୟବ୍ରତ କାଡିଆନ (୯୭କେଜି), ସଙ୍ଗୀତା ଫୋଗତ (୫୭କେଜି), ଜିତେନ୍ଦ୍ର କୁମାର (୮୬କେଜି) ଓ ଭିନେଶଙ୍କ ସ୍ବାକ୍ଷର ରହିଥିଲା। ସିଲେକ୍ସନ ଟ୍ରାଏଲ ଅଗଷ୍ଟ ୧୦ ପରେ କରିବା ଲାଗି କୁସ୍ତିଯୋଦ୍ଧାମାନେ ଅନୁରୋଧ କରିଥିଲେ। ଖବର ଅନୁସାରେ ଆଇଓଏ ଆଡହକ୍‌ ପ୍ୟାନେଲରେ ଯୋଗ କରାଯାଇଥିବା କୋଚ୍‌ ଗିଆନ ସିଂ ଓ ଅଶୋକ ଗର୍ଗ ୬ଜଣ କୁସ୍ତିଯୋଦ୍ଧାଙ୍କୁ ଟ୍ରାଏଲ୍ସରୁ ରିହାତି ଦେବାକୁ ଚାହିଁଥିଲେ। ଅନ୍ୟପକ୍ଷରେ ଆଇଓଏକୁ ଜୁଲାଇ ୧୫ ସୁଦ୍ଧା ଭାରତୀୟ ଦଳର ସମ୍ପୂର୍ଣ୍ଣ ଖେଳାଳି ତାଲିକା ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ନିକଟରେ ଦାଖଲ କରିବାକୁ ହେବ। ଅଗଷ୍ଟ ୧୦ ପରେ ସିଲେକ୍ସ ଟ୍ରାଏଲ କରିବା ପାଇଁ କୁସ୍ତିଯୋଦ୍ଧାମାନେ ଅନୁରୋଧ କରିଥିବାରୁ ତାଲିକା ଦାଖଲ ସମୟସୀମା ବୃଦ୍ଧି ପାଇଁ ଓସିଏକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜବାବ ମିଳି ନାହିଁ।

Share