କିଭ୍ (ୟୁକ୍ରେନ୍), ୧।୩(ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ୍ ଏଠାରେ ଚାଲିଥିବା ଆଉଟଷ୍ଟାଣ୍ଡିଂ ୟୁକ୍ରେନିଆନ ରେସଲର୍ସ ଆଣ୍ଡ୍ କୋଚେସ ମେମୋରିଆଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। କରୋନା ଭାଇରସ ଯୋଗୁ ଦୀର୍ଘ ଦିନ ପରେ ମ୍ୟାଟ୍କୁ ଫେରିଥିବା ଫୋଗତ ରବିବାର ୫୩କେଜି ଶ୍ରେଣୀ ଫାଇନାଲରେ ୨୦୧୭ ବିଶ୍ୱ ଚାମ୍ପିୟନ ଭି. କାଲାଡଜିନ୍ସ୍କେଙ୍କୁ ୧୦-୮ରେ ହରାଇ ଦେଇଛନ୍ତି। ଫୋଗତ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ବିଶ୍ୱର ୭ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ବେଲାରୁଷିଆନଙ୍କୁ ପରାସ୍ତ କରିବା ତାଙ୍କ ପକ୍ଷେ ସହଜ ନ ଥିଲା। ଲଢେଇବେଳେ ଦୁହେଁ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ପରସ୍ପରର ବଳ କଷିବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, ଭିନେଶ ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତାଙ୍କର ପରବର୍ତ୍ତୀ ଟୁର୍ନାମେଣ୍ଟ ହେଉଛି ଇଟାଲିରେ ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟ। ଏହା ମାର୍ଚ୍ଚ ୪ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବଜରଙ୍ଗ ପୁନିଆ ଓ ରବି ଡାହିୟାଙ୍କ ଆକ୍ସନ ଦେଖିବାକୁ ମିଳିବ।