Categories: ଖେଳ

ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌: ମାଗୁଛନ୍ତି ଚାକିରି

ମୁମ୍ବାଇ,୧୭।୮: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଏବେ ଚାକିରି ସନ୍ଧାନରେ ଅଛନ୍ତି। ଦିନେ ଭାରତୀୟ କ୍ରିକେଟର ନୂତନ ସେନସେସନ୍‌ ଭାବରେ ବିବେଚିତ ହେଉଥିବା ବିନୋଦ କାମ୍ବଲି କହିଛନ୍ତି, ଏବେ କେବଳ ବିସିସିଆଇ ଦେଉଥିବା ପେନସନ ଆଧାରରେ ତାଙ୍କ ପରିବାରକୁ ଚଳାଉଛନ୍ତି।
ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଜଣେ ଅବସରପ୍ରାପ୍ତ କ୍ରିକେଟର ଏବଂ ବିସିସିଆଇର ପେନ୍ସନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମୋର ଏକମାତ୍ର ଆୟର ଉତ୍ସ ହେଉଛି ବିସିସିଆଇ ଏବଂ ମୁଁ ଏଥିପାଇଁ ବହୁତ କୃତଜ୍ଞ। ଏଠାରୁ ମୋ ପରିବାରର ଖର୍ଚ୍ଚ ଚାଲିଥାଏ। ମୋର କାମ ଦରକାର। ମୁଁ ଜାଣେ ମୁମ୍ବାଇ ଅମୋଲ ମଜୁମଦାରଙ୍କୁ ସେମାନଙ୍କର ମୁଖ୍ୟ କୋଚ ଭାବରେ ରଖିଛି କିନ୍ତୁ ଯଦି ସେମାନେ ମୋତେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆବଶ୍ୟକ କରନ୍ତି ତେବେ ମୁଁ ଉପଲବ୍ଧ। ମୁଁ ମୁମ୍ବାଇ ପାଇଁ ଖେଳିଛି ଏବଂ ସେଥିପାଇଁ ମୁଁ ଚାହୁଁଛି ସେମାନେ ମୋ ପାଇଁ କିଛି କରନ୍ତୁ।
ସଚିନ ତେନ୍ଦୁଲକରଙ୍କ ସାହାଯ୍ୟ ମାଗିବା ପ୍ରଶ୍ନରେ କାମ୍ବଲି କୁହନ୍ତି, ସଚିନ ମୋର ଅବସ୍ଥା ଜାଣନ୍ତି। ସେ ମୋତେ ପୂର୍ବରୁ ସାହାଯ୍ୟ କରିଛନ୍ତି। ସେ ମୋତେ ତେନ୍ଦୁଲକର ମିଡଲ୍ସେକ୍ସ ଗ୍ଲୋବାଲ ଆସାଇନମେଣ୍ଟ ଦେଇଥିଲେ। ସେ ମୋର ବହୁତ ଭଲ ବନ୍ଧୁ। ସେମାନେ ମୋତେ ସାହାଯ୍ୟ କରିବେ ବୋଲି ମୁଁ ଆଉ ଆଶା କରେ ନାହିଁ।
ବିନୋଦ କାମ୍ବଲି ତାଙ୍କ କ୍ୟାରିୟରରେ ଭାରତ ପାଇଁ ୧୭ଟି ଟେଷ୍ଟ ଏବଂ ୧୦୪ଟି ଦିନିକିଆ ଖେଳିଥିଲେ। ସେ ଦିନିକିଆରେ ୧୦୮୪ ରନ ଏବଂ ଟେଷ୍ଟରେ ୨୪୭୭ରନ କରିଛନ୍ତି। ପିଲାଦିନେ ସେ ସଚିନଙ୍କ ସହ କ୍ରିକେଟ ଖେଳୁଥିଲେ। ସେ ମଧ୍ୟ ନିଜ କ୍ୟାରିଅରକୁ ଏକ ଶକ୍ତିଶାଳୀ ଢଙ୍ଗରେ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ନିଜର ଫର୍ମ ବଜାୟ ରଖିପାରି ନ ଥିଲେ ଏବଂ ଦଳରୁ ବାଦ୍‌ ପଡିଥିଲେ।

Share