ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଲେ ପ୍ରଦୀପ

ନୋଏଡା, ୨୧।୩: ନିକଟରେ ପ୍ରଦୀପ ମେହେରା ନାମକ ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ପ୍ରଦୀପଙ୍କ ଭିଡିଓକୁ ଏପର୍ଯ୍ୟନ୍ତ ୪.୯ ମିଲିୟନ (୫୦ ଲକ୍ଷ) ଲୋକ ଦେଖିଛନ୍ତି। ସମସ୍ତେ ଏହି ଯୁବକଙ୍କ ଉତ୍ସାହକୁ ସଲାମ କରୁଛନ୍ତି।
ଉତ୍ତରାଖଣ୍ଡର ଆଲମୋରା ନିବାସୀ ପ୍ରଦୀପ ମେହେରା ନୋଏଡା ସେକ୍ଟର -୧୬ରେ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ସେ ତାଙ୍କ ଭାଇଙ୍କ ସହ ବରୋଲାରେ ରୁହନ୍ତି। ପ୍ରଦୀପ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଦୌଡ଼ିବାକୁ ସମୟ ପାଆନ୍ତି ନାହିଁ। ତେଣୁ ରାତି ୧୧ଟାରେ ଶିଫ୍ଟ ଶେଷ କରିବା ପରେ ସେ ସେକ୍ଟର -୧୬ରୁ ବରୋଲା ପର୍ଯ୍ୟନ୍ତ ଦୌଡନ୍ତି। ଶନିବାର ରାତିରେ ଯେତେବେଳେ ସେ ସବୁଥର ପରି ଦୌଡୁଥିଲେ। ଏହି ସମୟରେ ପୂର୍ବତନ ଖବରଦାତା ତଥା ଫିଲ୍ମ ନିର୍ମାତା ବିନୋଦ କାପ୍‌ଡି କାର୍‌ରେ ଯାଉଥିବାବେଳେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ସେ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ପ୍ରାୟ ଦୁଇ ମିନିଟର ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଦେଶର ଅନେକ ବଡ ବଡ଼ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଶଂସା କରିଛନ୍ତି।
ଭିଡିଓରେ ପ୍ରଦୀପ କହିଛନ୍ତି ଯେ, ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାପା ତାଙ୍କ ସହିତ ଅଛନ୍ତି। ସେ ତାଙ୍କ ଭାଇଙ୍କ ସହିତ ଏଠାରେ ରୁହନ୍ତି। ବିନୋଦ ତାଙ୍କୁ କାରରେ ବସି ଏକାଠି ଡିନର୍‌ କରିବାକୁ ଡାକନ୍ତି। କିନ୍ତୁ ପ୍ରଦୀପ ମନା କରି କୁହନ୍ତି,ଭାଇଙ୍କର ନାଇଟ ଶିଫ୍ଟ ଅଛି। ଯଦି ମୁଁ ତୁମ ସହିତ ଖାଏ, ଭାଇ ଭୋକରେ ରହିବ। ବିନୋଦ ଏହି ଭିଡିଓକୁ ନିଜ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରି କହିଛନ୍ତି,ଏହା ପ୍ରକୃତ ସୁନା।

Share