ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ ଅଫିସ,୨୮ା୧୦:ଓଡ଼ିଶା ରୁରାଲ ହାଉସିଂ ଡେଭ୍‌ଲପମେଣ୍ଟ କର୍ପୋରେଶନ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଗୁରୁବାର ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ବିନୋଦ କୁମାରଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆବେଦନର ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେହିପରି ନିମ୍ନ ଅଦାଲତ ଦେଇଥିବା ଜରିମାନା ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଓଏଚ୍‌ଆର୍‌ଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌, କମ୍ପାନୀ ସେକ୍ରେଟାରି ସ୍ବସ୍ତି ରଞ୍ଜନ ମହାପାତ୍ର ଏବଂ ମେଟ୍ରୋ ବିଲ୍‌ଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଉକ୍ତ ମାମଲାର ବିଚାର କରି ଉପରୋକ୍ତ ୪ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନା ସହ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଥିଲେ।

Share