ମଦ ଦୋକାନରେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ…

ନୋଏଡା,୧୨।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ଜାରି ରହିଛି। ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଚିନ୍ତା ବୃଦ୍ଧି ପାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଦ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ନୋଏଡାର ଗୌତମବୁଦ୍ଧ ନଗରରେ ଏକ ମଦ ଦୋକାନ ଆଗରେ ଲୋକେ କରୋନା ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ବଜାୟ ରଖିବା କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଅପରିହାର୍ଯ୍ୟ ହୋଇଥିବାବେଳେ ଲୋକେ ଏହାକୁ ମାନୁ ନାହାନ୍ତି। ଏବେ ଏକ ମଦ ଦୋକାନ ଆଗରେ ଜମା ହୋଇଥିବା ଭିଡ଼ ଦୃଶ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇପିସି ଧାରା ୧୮୮ ଅନ୍ତର୍ଗତ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୌତମବୁଦ୍ଧ ନଗରରେ ମୋଟ ୫୨୪ ମଦ ଦୋକାନ ରହିଛି। ପୂର୍ବାହ୍ନ ୧୦ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହୁଛି। ରାଜ୍ୟରେ ଲକ୍‌ଡାଉନ୍‌ ସତ୍ତ୍ୱେ ଗୌତମବୁଦ୍ଧ ନଗରରେ ମଦ ଦୋକାନ ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

Share