ପରିବେଶ ନିୟମ ଉଲ୍ଲଂଘନ

ଡ. ଜୟକୃଷ୍ଣ ପାଣିଗ୍ରାହୀ

 

ଜୀବଜଗତ, ସର୍ବୋପରି ମାନବଜାତିର ସୁସ୍ଥତା ପ୍ରକୃତି ଓ ପରିବେଶର ସ୍ବାସ୍ଥ୍ୟାବସ୍ଥା ଉପରେ ଅନେକାଂଶରେ ନିର୍ଭରଶୀଳ। ମାତ୍ର ଅବାଞ୍ଛିତ ମାନବୀୟ କାର୍ଯ୍ୟକଳାପର ପରିଣାମରେ ଘଟୁଥିବା ପ୍ରଦୂଷଣର କ୍ଷତିକାରକ ପ୍ରଭାବରେ ଜଳ, ବାୟୁ ଏବଂ ମୃତ୍ତିକା ପରି ପ୍ରାକୃତିକ ସମ୍ବଳର ଗୁଣବତ୍ତାରେ ଅବନତି ସଂଘଟିତ ହେଉଛି ଏବଂ ପରିବେଶ କ୍ରମଶଃ ଅବକ୍ଷୟିତ ହୋଇ ଚାଲିଛି। ପରିସଂସ୍ଥାର ଅବନତି, ବନ୍ୟଜନ୍ତୁଙ୍କର ବିଲୁପ୍ତି ତଥା ସେମାନଙ୍କ ବାସସ୍ଥଳୀର ବିନଷ୍ଟ ଏବଂ ପ୍ରକୃତିଲବ୍ଧ ସମ୍ପଦର ହ୍ରାସନ ପରି ପ୍ରକ୍ରିୟା କ୍ରମେ ତ୍ୱରାନ୍ବିତ ହେଉଛି। ଏପରି ଅବନତି ସାମାଜିକ, ଅର୍ଥନୈତିକ ଏବଂ ପାରିବେଶିକ ଉଦ୍ଦେଶ୍ୟ ସାଧନ ଏବଂ ଆବଶ୍ୟକତା ପୂରଣ କରିବାରେ ପ୍ରକୃତିର ଦକ୍ଷତାକୁ କ୍ରମେ ସଙ୍କୁଚିତ କରୁଛି। କ୍ଷିପ୍ର ଅର୍ଥନୈତିକ ପ୍ରଗତି ହାସଲ ଉଦ୍ଦେଶ୍ୟରେ ଏବେ ଅସହନୀୟ ମାର୍ଗରେ ପରିଚାଳିତ ବିକାଶ ଧାରାରେ ଶିଳ୍ପାୟନ, ଶକ୍ତି ଉତ୍ପାଦନ, ପରିବହନ, ଗମନାଗମନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଭିତ୍ତିଭୂମି ନିର୍ମାଣ ଏବଂ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରର ପ୍ରତିକୂଳ ପ୍ରଭାବ ପରିବେଶ ଏବଂ ଜୀବଜଗତ ଉପରେ ପ୍ରତିବିମ୍ବିତ ହେଉଛି। ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଏପରି କ୍ଷତିକାରକ ପ୍ରକ୍ରିୟାସବୁର ପ୍ରଭାବଶାଳୀ ନିୟନ୍ତ୍ରଣ ଏବଂ ପରିବେଶର ଗୁଣାତ୍ମକ ମାନ ତଥା ମଣିଷ ଓ ଅନ୍ୟ ଜୀବଜନ୍ତୁମାନଙ୍କର ସୁରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ଆଇନ ପ୍ରଣୟନ ଏବଂ ସେସବୁର କାର୍ଯ୍ୟକାରିତା ଯେ ଅବଶ୍ୟମ୍ଭାବୀ ତାହା ସୁସ୍ପଷ୍ଟ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏ ଦିଗରେ, ବିଶେଷତଃ ବିପଜ୍ଜନକ ପଦାର୍ଥର ନିଷ୍କ୍ରୀୟକରଣ ଏବଂ ନିଷ୍କାସନ ନିମନ୍ତେ ପ୍ରଣୀତ ଆଇନ ସୁରକ୍ଷା କବଚର ଭୂମିକା ନିର୍ବାହ କରି ପରିବେଶର କ୍ଷତିସାଧନକୁ ରୋକିବା ଏବଂ ବିବିଧ ପ୍ରାକୃତିକ ପରିସଂସ୍ଥାର କାର୍ଯ୍ୟକାରିତାକୁ ସୁଗମ କରିବାରେ ସହାୟକ ହେବା ବାଞ୍ଛନୀୟ।
ଆମ ଦେଶରେ ପ୍ରଦୂଷଣର ପ୍ରତିରୋଧ ଓ ନିୟନ୍ତ୍ରଣ ତଥା ଜଳ, ବାୟୁ, ମୃତ୍ତିକା, ଜଙ୍ଗଲ, ଜୈବବିବିଧତା, ସର୍ବୋପରି ପରିବେଶର ସୁରକ୍ଷା ନିମନ୍ତେ ଯଥେଷ୍ଟ ଆଇନ ଉପଲବ୍ଧ । ଏସବୁ ଆଇନ ପ୍ରଣୟନର ଈପ୍ସିତ ଲକ୍ଷ୍ୟ ହେଉଛି ଜୀବଜଗତ, ପରିସଂସ୍ଥା ଏବଂ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ପ୍ରଦାନ, ସେସବୁର ସଂରକ୍ଷଣ ନିମନ୍ତେ ଯଥୋଚିତ ପଦକ୍ଷେପ ଗ୍ରହଣ ଏବଂ ଉତ୍ତମ ଗୁଣବତ୍ତା ବହନକାରୀ ଏକ ପରିବେଶର ସ୍ଥାପନ। ଏହି ନିୟମାବଳୀ ସରକାରଙ୍କୁ ପ୍ରଦୂଷଣଜନିତ ବିପର୍ଯ୍ୟୟ ସୃଷ୍ଟିକାରୀ ଏବଂ ପରିବେଶ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବାର କ୍ଷମତା ପ୍ରଦାନ କରେ। ସହନୀୟ ମାର୍ଗରେ ଉତ୍ପାଦନ, ଅର୍ଥନୀତି ଏବଂ ବିକାଶ ପ୍ରକ୍ରିୟାକୁ ପରିଚାଳିତ କରି ମାନବୀୟ ତଥା ପରିବେଶୀୟ ସ୍ବାସ୍ଥ୍ୟର ଗୁଣାତ୍ମକ ମାନକୁ ଅକ୍ଷୁଣ୍ଣ ରଖିବା ଏବଂ ମାନବୀୟ କାର୍ଯ୍ୟର ନକାରାତ୍ମକ ପ୍ରଭାବକୁ ଆକଳନ ଓ ଦମନ କରିବା ଏହାର ଉଦ୍ଦେଶ୍ୟ। ସମ୍ପ୍ରତି ବୃଦ୍ଧି ପାଉଥିବା ସବୁଜଗୃହ ବାଷ୍ପ ନିର୍ଗମନ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ଅମ୍ଳବର୍ଷା, ଓଜନ ସ୍ତରର ଅବକ୍ଷୟ, ଜଙ୍ଗଲାଞ୍ଚଳର ହ୍ରାସ, ବିଲୁପ୍ତପ୍ରାୟ ଜୀବଜାତିଙ୍କର ଶିକାର, ପ୍ରାକୃତିକ ସମ୍ପଦର ଅବନତି ଇତ୍ୟାଦି ସମସ୍ୟା ପରିପ୍ରେକ୍ଷୀରେ ଏ ସମସ୍ତ ନିୟମ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗରେ ପ୍ରଚଳିତ ପ୍ରଦୂଷଣକାରୀ ଦେୟ ନୀତି’ହେଉଛି ଦଣ୍ଡବିଧାନର ଏକ ଉପଯୁକ୍ତ ପ୍ରାବଧାନ, ଯାହା ଉଲ୍ଲଙ୍ଘନକାରୀଙ୍କୁ ପରିବେଶ ଅବକ୍ଷୟର ପ୍ରତିକାର ବ୍ୟବସ୍ଥା ଓ ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ଖର୍ଚ୍ଚ ବହନ କରିବାକୁ ବାଧ୍ୟକରେ। ପ୍ରଦୂଷଣ ନିରାକରଣ ଦ୍ୱାରା, ବିଶେଷ ରୂପେ ସମ୍ବେଦନଶୀଳ ଅଞ୍ଚଳରେ, ପରିବେଶ ଏବଂ ଜନସ୍ବାସ୍ଥ୍ୟ ସୁରକ୍ଷିତ ରହେ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପରିଚାଳନା ନିମନ୍ତେ ଆର୍ଥିକ ଖର୍ଚ୍ଚ ହ୍ରାସ ପାଏ, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଘଟେ ଏବଂ ଶିଳ୍ପ ଉତ୍ପାଦନରେ ଅଧିକ ଦକ୍ଷତା ହାସଲ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ଼ ହୁଏ।
କୌଣସି ନୂତନ ପ୍ରକଳ୍ପ, ଯୋଜନା କିମ୍ବା ନୀତି ପରି ବିକାଶ ସହାୟକ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଷ୍ପତ୍ତି ନେବା ପୂର୍ବରୁ ଏହାର ପରିବେଶ ପ୍ରଭାବ ଆକଳନ (ଇଆଇଏ)କୁ ୧୯୯୪ର ବିଜ୍ଞପ୍ତି ଅନୁଯାୟୀ ବାଧ୍ୟତାମୂଳକ କରାଯାଇଛି। ଖଣି ଉତ୍ତୋଳନ; ତାପଜ ବିଦ୍ୟୁତ୍‌ ଉତ୍ପାଦନ; ନଦୀବନ୍ଧ ନିର୍ମାଣ; ସଡ଼କ, ରାଜପଥ, ବନ୍ଦର ଏବଂ ବିମାନବନ୍ଦର ପରି ଭିତ୍ତିଭୂମି ନିର୍ମାଣ ଏବଂ ଶିଳ୍ପ ସ୍ଥାପନ ପରି ବିଭିନ୍ନ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଇଆଇଏ ପ୍ରକଳ୍ପର ସମ୍ଭାବ୍ୟ ଉଭୟ ନକାରାତ୍ମକ ଏବଂ ସକାରାତ୍ମକ ପ୍ରଭାବଗୁଡ଼ିକର ପୂର୍ବାନୁମାନ କରେ ଏବଂ କ୍ଷତିକାରକ ପ୍ରଭାବର ପରିବର୍ତ୍ତନ କିମ୍ବା ହ୍ରାସ ନିମନ୍ତେ ପଦକ୍ଷେପ ଗ୍ରହଣ ବିଷୟରେ ସୂଚନା ପ୍ରଦାନ କରେ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ ପ୍ରଭାବ ଚିହ୍ନଟ କରି ନିଷ୍ପତ୍ତି ନେବା ଏବଂ ଏହି ତଥ୍ୟ ଉପରେ ଆଧାର କରି ପ୍ରକଳ୍ପ ଯୋଜନାର ଗୁଣବତ୍ତା ଉନ୍ନତ କରିବା ନିଶ୍ଚିତ ରୂପେ ହିତକାରୀ ସାଧିତ ହୁଏ। ପରନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କେତେକ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ କାରଣ ପରିବେଶ କାରକଠାରୁ ଅଧିକ ଓଜନଦାର ସାବ୍ୟସ୍ତ ହେଉଥିବାର ଦୃଷ୍ଟାନ୍ତ ମଧ୍ୟ ପରିଲକ୍ଷିତ ହୁଏ।
ନିକଟରେ ଜୁନ ମାସରେ ଫର୍ମାଲ୍ଡିହାଇଡ୍‌ ରସାୟନ ପ୍ରସ୍ତୁତକାରୀ କେତେକ ଶିଳ୍ପସଂସ୍ଥାକୁ ବିନା ପରିବେଶ ମଞ୍ଜୁରୀରେ ହରିୟାଣା ସରକାରଙ୍କ ପ୍ରଦତ୍ତ ଅସ୍ଥାୟୀ ଅନୁମତି ବିରୋଧରେ ଏନ୍‌ଜିଓ ଦସ୍ତକ୍‌ ଦ୍ୱାରା ଦାଖଲ ମାମଲା ପରିପ୍ରେକ୍ଷୀରେ ଜାତୀୟ ସବୁଜ ପ୍ରାଧିକରଣ (ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌) କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ପ୍ରଦାନ କରିଛନ୍ତି। ସେ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ଶିଳ୍ପସଂସ୍ଥାମାନେ ୨୦୦୬ର ଇଆଇଏ ବିଜ୍ଞପ୍ତି ଅନୁଯାୟୀ ପୂର୍ବ ପରିବେଶ ମଞ୍ଜୁରୀ ବିନା କାର୍ଯ୍ୟାରମ୍ଭ କରିପାରିବେ ନାହିଁ। ଏହି ମଞ୍ଜୁରୀର ଆବଶ୍ୟକତାକୁ ଛାଡ଼ କରିବା କିମ୍ବା କ୍ଷତିପୂରଣ ପ୍ରଦାନ ଦ୍ୱାରା ସେମାନଙ୍କୁ କାର୍ଯ୍ୟ କରିବାର ଅନୁମତି ପ୍ରଦାନର କୌଣସି କ୍ଷମତା ମଧ୍ୟ ରାଜ୍ୟମାନଙ୍କର ନାହିଁ। ‘ପ୍ରଦୂଷଣକାରୀ ଦେୟ ନୀତି’ ଅବଲମ୍ବନରେ ନିୟମ ଖିଲାପକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନେ ମୁକ୍ତ। ଯେଉଁ ପ୍ରକଳ୍ପଗୁଡ଼ିକ ପୂର୍ବ ପରିବେଶ ମଞ୍ଜୁରୀ ବିନା କାର୍ଯ୍ୟକ୍ଷମ ଅଛନ୍ତି, ସେଗୁଡିକୁ ବନ୍ଦ କରି ପୁନର୍ବାର ମୂଲ୍ୟାଙ୍କନ କରାଯିବା ଉଚିତ। ଯେଉଁ ପ୍ରକଳ୍ପଗୁଡ଼ିକ ପରିବେଶ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି ଏବଂ ପରିବେଶ ମଞ୍ଜୁରୀ ପାଇଁ ଆଦୌ ଯୋଗ୍ୟ ନୁହନ୍ତି, ସେଗୁଡ଼ିକ ଭଙ୍ଗାଯିବ ଅଥବା ବନ୍ଦ କରାଯିବ। ଏହି ଆଦେଶର ମର୍ମରେ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପରିବେଶ ମଞ୍ଜୁର ନିୟମକୁ ଉଲ୍ଲଂଘନ କରିଥିବା ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପଗୁଡିକ ପାଇଁ ୨୦୨୧ ଜୁଲାଇରେ ଏକ କ୍ଷମା ଯୋଜନାର ପ୍ରବର୍ତ୍ତନ ଏବଂ ଏଥିନିମନ୍ତେ ଏକ ମାନକ କାର୍ଯ୍ୟକାରୀ ପଦ୍ଧତି (ଏସ୍‌ଓପି) ପ୍ରସ୍ତୁତ କରିଛି। ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରିଥିବା, କିନ୍ତୁ ‘ଅନୁମତିପ୍ରାପ୍ତ’ ହୋଇଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଏକ ପ୍ରତିକାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସୃଷ୍ଟ କ୍ଷୟକ୍ଷତିର ଆକଳନ କରିବେ ଏବଂ ଏହାର ଭରଣା ନିମନ୍ତେ ଏକ ପରିବେଶ ସମୃଦ୍ଧକାରୀ ଯୋଜନା କାର୍ଯ୍ୟକାରୀ ହେବା ପରେ ଖିଲାପକାରୀ ଦାଖଲ କରିଥିବା ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ ପାଇବେ। ନିୟମ ଉଲ୍ଲଂଘନକାରୀ ପ୍ରକଳ୍ପଗୁଡ଼ିକୁ ଜରିମାନା ଦେବା ବାଧ୍ୟତାମୂଳକ, ଯାହାର ସବିଶେଷ ବିବରଣୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଇଆଇଏ ହେଉଛି ପ୍ରସ୍ତାବିତ ପ୍ରକଳ୍ପର ସମ୍ଭାବ୍ୟ ପରିବେଶ ପରିଣାମକୁ ଆକଳନ କରିବାର ଏକ ବୈଜ୍ଞାନିକ, ଆଇନଗତ ଏବଂ ସାମାଜିକ ବ୍ୟବସ୍ଥା। ବିଜ୍ଞପ୍ତି ଅନୁଯାୟୀ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ଏହାର ବହୁଳ ଉଲ୍ଲଂଘନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ଶିଳ୍ପସଂସ୍ଥାମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଆଇନର ଉପେକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ନିଜେ କାର୍ଯ୍ୟକାରୀ କରିଥିବା ଆଇନର ଉଲ୍ଲଂଘନକୁ ଗୁରୁତ୍ୱ ନ ଦେବାକୁ ସୂଚାଉ ନାହିଁ କି? ଏହା ମଧ୍ୟ ପ୍ରକୃତି ଓ ପରିବେଶ ପ୍ରତି ଆମ ସମ୍ବେଦନଶୀଳତାରେ ଥିବା ନୂ୍ୟନତାକୁ ପ୍ରଦର୍ଶିତ କରୁନାହିଁକି? ସେଣ୍ଟର ଫର ପଲିସି ରିସର୍ଚ୍ଚର ବରିଷ୍ଠ ସହକର୍ମୀ ମଞ୍ଜୁ ମେନନ୍‌ କହିଛନ୍ତି ଯେ ବୈଧତା ଏବଂ ପରିବେଶ ଅନୁମୋଦନ ନଥିବା ହଜାର ହଜାର ପ୍ରକଳ୍ପ ଏବେ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ। ଏବେ ନୂତନ ଇଆଇଏର ପ୍ରସ୍ତୁତି ନିମନ୍ତେ ସରକାରଙ୍କର ୨୦୨୦ର ଡ୍ରାଫ୍ଟ ବିଜ୍ଞପ୍ତିର ପ୍ରତିକ୍ରିୟାରେ ଜନସାଧାରଣଙ୍କଠାରୁ ଅତି କମରେ ରେକର୍ଡ ସଂଖ୍ୟକ ୧୭ ଲକ୍ଷରୁ ଅଧିକ ପରାମର୍ଶ ଉପଲବ୍ଧ ହୋଇଛି। ପରିବେଶ କର୍ମୀମାନେ ଏଥିରେ ଥିବା କେତେକ ବିବାଦୀୟ ବ୍ୟବସ୍ଥାର ପରିବର୍ତ୍ତନ, ବିଶେଷ ରୂପେ ପରିବେଶ (ସୁରକ୍ଷା) ଅଧିନିୟମ ୧୯୮୬ର ଉଲ୍ଲଂଘନରେ କାର୍ଯ୍ୟ କରୁଥିବା ପ୍ରକଳ୍ପଗୁଡିକର ସ୍ଥାପନ ପରେ ମଞ୍ଜୁରୀ ପ୍ରଦାନର ପ୍ରସ୍ତାବକୁ ବିରୋଧ କରୁଛନ୍ତି। ଏପରିହେଲେ ଏହାକୁ ସବୁଠାରୁ ବଡ଼ ନିୟମିତକରଣ ଯୋଜନା ରୂପେ ଅବିହିତ କରାଯିବ।
ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୨୦୨୦ରେ ପ୍ରଦତ୍ତ ଏକ ଆଦେଶନାମାରେ ବ୍ୟକ୍ତ କରିଛନ୍ତି ଯେ, ପ୍ରକଳ୍ପର ଏପରି ବିଳମ୍ବିତ ମଞ୍ଜୁରୀକରଣ ପରିବେଶ ଆଇନର ମୌଳିକ ସିଦ୍ଧାନ୍ତ ଏବଂ ୧୯୯୪ର ଇଆଇଏ ବିଜ୍ଞପ୍ତିର ମୂଳ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରେ, ଯାହା ପରିବେଶ ପାଇଁ କ୍ଷତିକାରକ ଏବଂ ଅପୂରଣୀୟ ଅବନତିର କାରଣ ହୋଇପାରେ। ଏ ସମସ୍ତ ଦୃଷ୍ଟିରୁ ନୂତନ ଭାବେ ପ୍ରଣୀତ ହେବାକୁ ଥିବା ସଂଶୋଧିତ ଇଆଇଏରେ କୌଣସି ଚାପର ବଶବର୍ତ୍ତୀ ନ ହୋଇ, ଆଇନର ଫାଙ୍କଗୁଡ଼ିକୁ ଅନୁଧ୍ୟାନ କରି ସମାଧାନର ପନ୍ଥା ନିରୂପଣ କରିବା ଏବଂ ଏହାର କାର୍ଯ୍ୟକାରିତାକୁ ବସ୍ତୁତଃ ବାଧ୍ୟତାମୂଳକ କରିବା ହିଁ ସମୟର ଆହ୍ବାନ। ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
jk.panigrahi@gmail.com
ମୋ: ୯୪୩୭୦୭୬୧୦୦