Categories: ଜାତୀୟ

ଆଇଟି ନିୟମ ଉଲ୍ଲଂଘନ ହେଲେ ସୋସିଆଲ ମିଡିଆ ବିରୋଧରେ ଏତଲା ଦେଇହେବ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ଡିପ୍‌ ଫେକ୍‌ ଭଳି ଆପତ୍ତିଜନକ ଫଟୋ କିମ୍ବା ଭିଡିଓ ପୋଷ୍ଟ ଯୋଗୁ ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀର ଉଲ୍ଲଂଘନ ପାଇଁ ନାଗରିକମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବିରୋଧରେ ଏତଲା ଦାଏର କରିପାରିବେ। ଏଥିପାଇଁ ନାଗରିକମାନଙ୍କୁ ସହାୟତା କରିବା ନିମନ୍ତେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏକ ପ୍ଲାଟ୍‌ଫର୍ମର ବିକାଶ କରୁଥିବା ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଦ୍ୱାରା ଆଇଟି ନିୟମ ଉଲ୍ଲଂଘନ ହେଉଥିଲେ ୟୁଜରମାନେ ଆଇଟି ଦ୍ୱାରା ବିକଶିତ ପ୍ଲାଟ୍‌ଫର୍ମରେ ଏହାକୁ ଫାଇଲ୍‌ କରିପାରିବେ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସହ ବୈଠକ ପରେ ଚନ୍ଦ୍ରଶେଖର ଗଣମାଧ୍ୟମକୁ ଏହା କହିଛନ୍ତି। ଆଜିଠାରୁ ଆଇଟି ନିୟମାବଳୀର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ସୋସିଆଲ ମିଡିଆ ବିରୋଧରେ ଏତଲା ଦାଏର ପରେ ଉକ୍ତ ବିବାଦୀୟ କଣ୍ଟେଣ୍ଟ କେଉଁଠୁ ସୃଷ୍ଟି ହୋଇଛି ତାହା ସେମାନେ ବତାଇଲେ, ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଏତଲା ଦାଏର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share