ଚେନ୍ନାଇ, ୧୭।୧୦: ତାମିଲନାଡୁରେ ଏଆଇଏଡିଏମ୍କେର ୪୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଦୂରତାର ପାଳନ କରାଯାଇ ନ ଥିବାବେଳେ କେତେକ ଦଳୀୟ ସଦସ୍ୟ ମାସ୍କ୍ ପିନ୍ଧି ନ ଥିବା କୁହାଯାଉଛି। ଚେନ୍ନାଇ ସ୍ଥିତି ଦଳୀୟ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ୍ଙ୍କ ଉପସ୍ଥିତିରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକାର ଖୋଲାଖାଲି ଉଲ୍ଲଂଘନ ହୋଇଛି। ରାଜ୍ୟ ରାଜଧାନୀ ଚେନ୍ନାଇରେ ପ୍ରତିଦିନ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଉଥିବାବେଳେ ଏଆଇଏଡିଏମ୍କେ ସଦସ୍ୟଙ୍କ ଏଭଳି କାର୍ଯ୍ୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ନା ପସନ୍ଦ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାରରୁ ଅଧିକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।