ଭିତରକନିକାରେ କୋଭିଡ୍‌ କଟକଣା ଉଲ୍ଲଂଘନ: ୫ ଶହ ବଦଳରେ ବୁଲିଲେ ୧୮୫୨ ପର୍ଯ୍ୟଟକ

ରାଜନଗର,୨୬ା୧୨(ଡି.ଏନ.ଏ.): ଶୁକ୍ରବାର ଥିଲା ବଡଦିନ । ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ଭିଡ ଜମିଥିଲା । କୋଭିଡ୍‌ କଟକଣା ଯୋଗୁ ଭିତରକନିକା ଭିତରକୁ ପ୍ରତିଦିନ ୫ଶହ ପର୍ଯ୍ୟଟକ ଯାଇ ପାରିବେ ବୋଲି ନିୟମ ହୋଇଥିଲା । ହେଲେ ଶୁକ୍ରବାର ୧୮୫୨ ପର୍ଯ୍ୟଟକ ଜାତୀୟ ଉଦ୍ୟାନକୁ ବିଭିନ୍ନ ପ୍ରବେଶ ପଥ ଦେଇ ପ୍ରବେଶ କରିଥିବା ଜଣାପଡିଛି । ଚାନ୍ଦବାଲି ବୋଟ୍‌ ଘାଟରୁ ୧୧ଟି ବୋଟ୍‌ରେ ୭୮ଜଣ, ଖୋଳାଜେଟିରୁ ୭୦ ବୋଟ୍‌ରେ ୫୩୫ ଜଣ, ଗୁପ୍ତିଘାଟରୁ ୨୧ ବୋଟ୍‌ରେ ୧୯୫ ଜଣ ଓ ଡାଙ୍ଗମାଳ ମୁଖ୍ୟ ପ୍ରବେଶ ପଥ ଦେଇ ୧୦୪୪ ଜଣ ପର୍ଯ୍ୟଟକ ଭିତରକନିକାକୁ ଯାଇଥିବା ଖବର ମିଳିଛି ।

କରୋନା କଟକଣା ଯୋଗୁ ଗତ ୭ମାସ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କରୋନା ସଂକ୍ରମଣ କମିବା ପରେ ଅକ୍ଟୋବରଠାରୁ ରାତ୍ରି ଯାପନ ପାଇଁ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିଥିଲା । ଅକ୍ଟୋବର ୧୯ରୁ ଦୈନିକ ୫ଶହ ପର୍ଯ୍ୟଟକ ଏବଂ ଜଳପଥରେ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଭିତରକନିକାକୁ ଆସି ପାରିବେ ବୋଲି ବନ ବିଭାଗ କଟକଣା ଜାରି କରିଥିଲା । କିନ୍ତୁ ବଡ଼ଦିନରେ ବନ ବିଭାଗର ସବୁ କଟକଣା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଭିତରକନିକା ବନାଞ୍ଚଳ ଅଧିକାରିଣୀ ସ୍ବାତୀ ମହାନ୍ତି କହିଛନ୍ତି, କଟକଣା ବଳବତ୍ତର ରହିଛି। ଆମେ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛୁ ।

Share