ଇମ୍ଫାଲ, ୯।୬: ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି। ଜିରିବାମ ଜିଲାରେ କେତେଜଣ ଉଗ୍ରବାଦୀ ଗୋଟିଏ ପୋଲିସ ଆଉଟ୍ପୋଷ୍ଟ ସହ ଅନେକ ଘର ଜାଳିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଉଗ୍ରବାଦୀ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ ପହଞ୍ଚି ଚୋଟୋବେକ୍ରା ଅଞ୍ଚଳରେ ଥିବା ପୋଲିସ ଆଉଟ୍ପୋଷ୍ଟକୁ ନିଆଁ ଲଗାଇଦେଇଥିଲେ। ପରେ ସେମାନେ ଜିଲାର ଲମତାଇ ଖୁନୋ ଏବଂ ମଧୁପୁର ପୋଲିସ ଆଉଟ୍ପୋଷ୍ଟକୁ ଆକ୍ରମଣ କରିଥିଲେ। ଉଗ୍ରବାଦୀମାନେ ଜିଲାର ୭୦ରୁ ଅଧିକ ଘରେ ନିଆଁ ଲଗାଇଦେଇଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ମଣିପୁର ରାଜଧାନୀ ଇମ୍ଫାଲଠାରୁ ୨୨୦ କିଲୋମିଟର ଦୂରରେ ଅବସ୍ଥିତ ଜିରିବାମ ଜିଲା ଆସାମର ସୀମାକୁ ଲାଗିଛି। ଏହି ଜିଲା ଦେଇ ଜାତୀୟ ରାଜପଥ-୩୭ ଯାଉଥିବାବେଳେ ଏହାକୁ ଘେରି ରହିଥିବା ପାହାଡ଼ିଆ ଅଞ୍ଚଳରେ ଅନେକ କୁକି ସମୁଦାୟର ଗ୍ରାମ ରହିଛି।