Categories: ଜାତୀୟ

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ଆଉଟପୋଷ୍ଟକୁ ଜାଳିଦେଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନାବାଳିକା ଜଣକ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ନିଖୋଜ ସମ୍ପର୍କରେ ଶୁକ୍ରବାର ରାତିରେ ଅଭିଯୋଗ ସତ୍ତ୍ୱେ ପୋଲିସ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। କାର୍ଯ୍ୟାନୁଷ୍ଠାନରେ ବିଳମ୍ବରୁ ନାବାଳିକାଙ୍କ ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଲୋକେ ମହିସମାରି ଫାଣ୍ଡିରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଫାଣ୍ଡି ବାହାରେ ଥିବା କେତେଗୁଡ଼ିଏ ଗାଡ଼ିକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି। ଲୋକଙ୍କ ଆକ୍ରମଣରେ ଭୟଭୀତ ପୋଲିସ କର୍ମଚାରୀ ଫାଣ୍ଡି ଛାଡ଼ି ପଳାଇଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିକ୍ଷୋଭକାରୀମାନେ ଏସ୍‌ଡିପିଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଅଟକ ରଖିବାକୁ ଉଦ୍ୟମ କରିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାକୁ ଅଧିକ ପୋଲିସ ଫୋର୍ସ ପଠାଯିବା ସହ ଲୁହବୁହା ବାଷ୍ପ ଛଡ଼ାଯାଇଛି।

ନାବାଳିକାଙ୍କ ପରିବାର ସଦସ୍ୟ ମହିସମାରି ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଗତ ଅଗଷ୍ଟରେ ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲଇସ ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରିଥିଲା, ଏଠାରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଦଣ୍ଡିତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଏତଲା ଗ୍ରହଣ କରିବାରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ନାବାଳିକା ନିଖୋଜ ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

Share