ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…

ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା ହିଂସା ପୁରୁଷଙ୍କ ଦ୍ୱାରା ଗ୍ରହଣ ଯୋଗ୍ୟ ହୋଇଛି। ସର୍ଭେ କମ୍ପାନୀ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।

ଜର୍ମାନ ଖବରକାଗଜରେ ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ୧୮-୨୫ ବର୍ଷ ବୟସର ୩୩ ପ୍ରତିଶତ ପୁରୁଷ କହିଛନ୍ତି ପରିବାରରେ ମହିଳାଙ୍କ ପ୍ରତି ହିଂସା ଏକ ସାଧାରଣ କଥା। ସର୍ବେକ୍ଷଣ ଅନୁଯାୟୀ, ୩୪ ପ୍ରତିଶତ ପୁରୁଷ କହିଛନ୍ତି ଅତୀତରେ ସେମାନେ ମହିଳା ହିଂସାରେ ଜଡ଼ିତ ଥିଲେ।

ଲିଙ୍ଗଗତ ସମାନତା ପାଇଁ ଓକିଲାତି କରୁଥିବା ଫେଡେରାଲ ଫୋରମ ମେନର ସଦସ୍ୟ କାର୍ଟେନ କାସନର୍‌ କହିଛନ୍ତି ଏହି ସଂଖ୍ୟା ଅତ୍ୟନ୍ତ ଲଜ୍ଜାଜନକ। ସର୍ଭେ କରାଯାଇଥିବା ୩୩ ତିଶତ ପୁରୁଷ ମହିଳାଙ୍କ ପ୍ରତି ଶାରୀରିକ ହିଂସାକୁ ସାଧାରଣ ବୋଲି ବିବେଚନା କରନ୍ତି। ଏହା ଏକ ବଡ ସମସ୍ୟା ଏବଂ ଏଥିରେ ପରିବର୍ତ୍ତନ ହେବା ଜରୁରୀ। ସମଗ୍ର ଦେଶରେ ଏହି ସର୍ଭେରେ ଏକ ହଜାର ପୁରୁଷ ଏବଂ ଏକ ହଜାର ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ। ସର୍ବେକ୍ଷଣ ଅନୁଯାୟୀ, ୫୨ ପ୍ରତିଶତ ପୁରୁଷ ବିଶ୍ୱାସ କରନ୍ତି ସେମାନଙ୍କର ମହିଳା ସାଥୀ ପ୍ରାୟତଃ ଘର ଚଳାଇବା ଉଚିତ ।

ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି ପ୍ରାୟ ୪୮ ପ୍ରତିଶତ ଲୋକ କହିଛନ୍ତି ସମଲିଙ୍ଗୀ ସମ୍ପର୍କର ସର୍ବସାଧାରଣ ପ୍ରଦର୍ଶନ ଠିକ ନୁହେଁ। ଏହା ସେମାନଙ୍କୁ ବ୍ୟଥିତ କରେ। ପ୍ଲାନ ଇଣ୍ଟରନ୍ୟାଶନାଲର ଜର୍ମାନୀ ମୁଖପାତ୍ର ଆଲେକ୍ସଜାଣ୍ଡାର୍‌ ଶାଚର କହିଛନ୍ତି ଲୋକମାନେ ଏବେ ବି ପୁରୁଣା ଚିନ୍ତାଧାରା ବଜାୟ ରଖିଛନ୍ତି। ସେମାନଙ୍କ ମନରେ କେବଳ ଦୁଇଟି ପାରମ୍ପାରିକ ଲିଙ୍ଗ ଭୂମିକା ଅଛି ।

ପୋଲିସର ଆକଳନ ଅନୁଯାୟୀ, ଜର୍ମାନୀରେ ପ୍ରାୟ ୧ ଲକ୍ଷ ୧୫ ହଜାର ମହିଳା ହିଂସାର ଶିକାର ହୋଇଛନ୍ତି। ପ୍ରତି ଘଣ୍ଟାରେ ପ୍ରାୟ ୧୩ ଜଣ ମହିଳା ହିଂସାର ଶିକାର ହେଉଛନ୍ତି। ୨୦୨୧ ମସିହାରେ, ପ୍ରାୟ ୩୦୧ ମହିଳାଙ୍କୁ ସେମାନଙ୍କ ସାଥୀ ଦ୍ୱାରା ହତ୍ୟା କରାଯାଇଥିଲା। ଗତ ବର୍ଷ ଜର୍ମାନୀର ନ୍ୟାୟ ମନ୍ତ୍ରୀ ମାର୍କୋ ବୁଶମ୍ୟାନ କହିଥିଲେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଅଧିକ ଗୁରୁତର ସହ ନିଆଯିବା ଆବଶ୍ୟକ। କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବ।

Share