ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି ହିଂସା, ୪ ଆହତ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି କେନ୍ଦୁଝର ପୌରାଞ୍ଚଳ ଆଟପୁରରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାକୁ ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ସଦର ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଟାଉନ ଥାନାରେ ଧାରଣା ଦିଆଯାଇଥିଲା।
ପ୍ରକାଶ ଯେ, ପୌର ନିର୍ବାଚନ ପାଇଁ ପ୍ରଚାର ସରିବା ପରେ କେନ୍ଦୁଝର ସହରର ବିଭିନ୍ନ ସାହିରେ ନିର୍ବାଚନୀ ବିବାଦ ଓ ହିଂସା ମୁଣ୍ଡ ଟେକୁଛି। ଟଙ୍କା ନ ନେବାରୁ ଜଣେ ମହିଳାଙ୍କୁ ବାଣ୍ଟଥିବା ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାକୁ ପ୍ରତିବାଦ କରି ସଦର ଭାଜପା ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଭାଜପାର ନେତା ଓ କର୍ମୀମାନେ ଟାଉନ ଥାନାରେ ଧାରଣା ଦେଇଥିଲେ। ଏହି ଘଟଣାରେ ଜୁଲି ବେହେରା ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ପରିବାରର ଅନ୍ୟ ତିନି ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି।ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ଅପରପକ୍ଷ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଦୁଇଟି କେସ୍‌ ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସବୁ ଓ୍ବାର୍ଡରେ ରାତିରେ ବୁଲି ବିଭିନ୍ନ ଉପାୟ ଅବଲମ୍ବନ କରୁଥିବାରୁ ଏଭଳି ବିବାଦ ମୁଣ୍ଡ ଟେକୁଛି।

Share