Categories: ଜାତୀୟ

ସିକିମ୍‌ର ନାମ୍‌ଚି ସହରରେ ରାଲିବେଳେ ହିଂସା

ଗାଙ୍ଗଟକ୍‌,୮ା୮: ସିକିମ୍‌ରେ ୨୧ ବର୍ଷୀୟ ଯୁବନେତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ଦାବି କରି ସୋମବାର ନାମ୍‌ଚି ସହରରେ ବିକ୍ଷୋଭ ରାଲି କରାଯାଉଥିବାବେଳେ ଏହା ହିଂସାକାଣ୍ଡର ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ କେତେଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିଂସାରେ ସମ୍ପୃକ୍ତ କେତେଜଣଙ୍କୁ ଗିରଫ କରାଯାଇଥିବା ନାମ୍‌ଚି ଏସ୍‌ଡିଏମ୍‌ କହିଛନ୍ତି। ନାମ୍‌ଚିରେ ୧୪୪ ଧାରା ଜାରି ସହ ପାଟ୍ରୋଲିଂକୁ ଜୋର୍‌ଦାର କରାଯାଇଛି। ଅଲ୍‌ ସିକିମ୍‌ ଗୁରୁଙ୍ଗ୍‌ ପକ୍ଷରୁ ରାଲିରେ ଆୟୋଜନ କରାଯାଇଥିବାବେଳେ ଏଥିରେ ବିଭିନ୍ନ ସଂଗଠନ ଓ ସମାଜର ବିଭିନ୍ନ ବର୍ଗ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ନାମ୍‌ଚି ଗଭର୍ନମେଣ୍ଟ କଲେଜ ଛାତ୍ର ପରିଷଦର ସଭାପତି ତଥା ଯୁବନେତା ପଦମ ଗୁରୁଙ୍ଗ୍‌ଙ୍କ ମୃତଦେହ ଗତ ଜୁନ୍‌ ୨୮ରେ କାଜିତାର ଅଞ୍ଚଳର ଏକ ଡ୍ରେନ୍‌ରୁ ମିଳିଥିଲା। ନ୍ୟାୟରେ ବିଳମ୍ବ ନ୍ୟାୟ ନ ମିଳିବା ସହ ସମାନ। ତେଣୁ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଚାହୁଁ ବୋଲି ମୃତ ଛାତ୍ରନେତାଙ୍କ ଭାଇ ପ୍ରେମ୍‌ ଗୁରୁଙ୍ଗ କହିଛନ୍ତି।

Share