Categories: ଜାତୀୟ

ହରିୟାଣାରେ ଧର୍ମୀୟ ଶୋଭାଯାତ୍ରା ବେଳେ ହିଂସା

ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୋଦାଲ ଡିଏସ୍‌ପି ସାଜ୍ଜନ ସିଂଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ଜଣେ ଇନ୍ସପେକ୍ଟରଙ୍କ ପେଟରେ ଗୁଳି ବାଜିଛି। ଉତ୍ତ୍ୟକ୍ତ ଲୋକେ ୪ଟି ଗାଡ଼ି ଓ ଗୋଟିଏ ଦୋକାନ ଜାଳିଦେଇଛନ୍ତି। ବିକ୍ଷୋଭକାରୀମାନେ ଦୀର୍ଘସମୟ ଧରି ରାସ୍ତା ଅବରୋଧ କରିଥିଲେ। ଶାନ୍ତି ରକ୍ଷା ପାଇଁ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ଼ା ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍‌ ମଧ୍ୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଛନ୍ତି।
ମୁସଲମାନ ବହୁଳ ନୁହ ଅଞ୍ଚଳରେ ଶୋଭାଯାତ୍ରା ଯାଉଥିବାବେଳେ ଗୋଟିଏ ଗୋଷ୍ଠୀ ପକ୍ଷରୁ ପ୍ରବଳ ଟେକାମାଡ଼ ହୋଇଥିଲା। ଗୋରକ୍ଷକ ତଥା ଭିଓ୍ବାନି ମୃତ୍ୟୁ ମାମଲାର ଅଭିଯୁକ୍ତ ମୋନୁ ମାନେସାର ମଓ୍ବୋତ୍‌ ଅଞ୍ଚଳକୁ ଆସିଥିବାର ଖବର ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା। ଭୟରେ ଗୁରୁଗ୍ରାମ ନିକଟରେ ଥିବା ଏକ ମନ୍ଦିରାରେ ପ୍ରାୟ ୨,୫୦୦ ପୁରୁଷ, ମହିଳା ଓ ପିଲା ଆଶ୍ରୟ ନେଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଫାଙ୍କା ଗୁଳିଚାଳନା କରିଛି। ଉତ୍ତେଜନା ଲାଗି ରହିଥିବାରୁ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯିବା ସହ ୧୪୪ ଧାରା ଜାରି ହୋଇଛି।
ଖବର ଅନୁଯାୟୀ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା କରାଯାଉଥିବାବେଳେ ଗୁରୁଗ୍ରାମ-ଅଲଓ୍ବାର ଜାତୀୟ ରାଜପଥରେ ଗୋଟିଏ ଗୋଷ୍ଠୀ ଏହାକୁ ଅଟକାଇବା ସହ ଶୋଭାଯାତ୍ରା ଉପରକୁ ଟେକାମାଡ଼ କରିଥିଲା। ଉତ୍ତେଜନା ବଢ଼ିବା ସହ ସରକାରୀ ଓ ଘରୋଇ ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯିବା ସହ କେତେକରେ ନିଆଁ ଲଗାଇଦିଆଯାଇଥିଲା। ଧର୍ମୀୟ ଶୋଭାଯାତ୍ରାରେ ଭାଗନେଇଥିବା ୨,୫୦୦ ଲୋକ ନୁଲ୍‌ହାର ମହାଦେବ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ବଜାରଙ୍ଗ ଦଳର ଜଣେ କର୍ମୀଙ୍କ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସଂଘର୍ଷ ଦେଖାଦେଇଥିଲା। ବହୁ ଅପରାଧରେ ସମ୍ପୃକ୍ତ ମୋନୁ ମାନେସାର ଓ ତାଙ୍କ ସହଯୋଗୀ ଯାତ୍ରା ବେଳେ ମଓ୍ବୋତ୍‌ରେ ରହିବେ ବୋଲି ଭିଡିଓରେ ଉଲ୍ଲେଖ ଥିଲା। ଯାତ୍ରାରେ ସେମାନଙ୍କୁ ଦେଖିଥିବା କେତେଜଣ ଦାବି କରୁଥିବାବେଳେ ଏହାକୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା।

Share