Categories: ଜାତୀୟ

ଭୋଟ ବେଳେ ହିଂସା:୧୮ ମୃତ

କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ଭାଜପାରୁ ୩, ସିପିଆଇ(ଏମ୍‌)ରୁ ୨, କଂଗ୍ରେସରୁ ୩ କର୍ମୀ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ରାଜନୈତିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଯେକୌଣସି ପ୍ରକାରେ ପଞ୍ଚାୟତ, ବ୍ଲକ୍‌ ଓ ଜିଲା ପରିଷଦଗୁଡ଼ିକୁ ହାତେଇବା ପାଇଁ ଦଳ ପକ୍ଷରୁ ଜୋର୍‌ଦାର ଉଦ୍ୟମ ହେଉଥିବା କୁହାଯାଇଛି। ବିଭିନ୍ନ ଦଳ ସେମାନଙ୍କ ପ୍ରତିପକ୍ଷ ବିରୋଧରେ ସଶସ୍ତ୍ର କୌଶଳ ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ କେତେକ ବୁଥ୍‌ରୁ ବାଲଟ ବାକ୍ସ ଚୋରାଇ ନେବା ସହ ପୋଡ଼ିଦେଇଛନ୍ତି। ମୁଖ୍ୟତଃ ମୁର୍ଶିଦାବାଦ, ନଦିଆ, କୁଚ୍‌ବିହାର ଜିଲା ସମେତ ଦକ୍ଷିଣ ୨୪ ପ୍ରଗଣାର କେତେକ ଅଞ୍ଚଳ ଏବଂ ପୂର୍ବ ମେଦିନିପୁରର ନନ୍ଦିଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରୁ ହିଂସାକାଣ୍ଡ ଲାଗିରହିଥିଲା।
ଦଳମତ ନିର୍ବିଶେଷରେ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ସବୁ ଦଳ ନିନ୍ଦା କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଭାଜପା ଦାବି କରିଛି। ପଞ୍ଚାୟତ ନିର୍ବାଚନ ହିଂସା ବିରୋଧରେ ବିରୋଧୀ ଦଳ ନେତା

ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିବା ସହ କାଳୀଘାଟରୁ ଶୋଭାଯାତ୍ରା ବାହାର କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହେଳିକା। ଅନୁଚ୍ଛେଦ ୩୫୫ ଅନୁଯାୟୀ କେବଳ ରାଷ୍ଟ୍ରପତି ଶାସନ ଅଧୀନରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ବୋଲି ସେ କହିଛନ୍ତି। ଟିଏମ୍‌ସି ଗୁଣ୍ଡାମାନେ ଲୋକଙ୍କ ମତଦାନ ଅଧିକାରକୁ ଲୁଟିଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ନିର୍ବାଚନୀ ହିଂସାକୁ ନେଇ କଂଗ୍ରେସ ନେତା କୌସ୍ତବ ବାଗ୍‌ଚୀ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିଛନ୍ତି। ପିଟିଶନର ଜରୁରୀ ଶୁଣାଣି କରାଯାଇ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ନିର୍ବାଚନକୁ ଅବୈଧ ଘୋଷଣା କରିବା ପାଇଁ ବାଗ୍‌ଚୀ ନିବେଦନ କରିଛନ୍ତି। କେନ୍ଦ୍ରୀୟ ବଳକୁ ଉପଯୁକ୍ତ ଭାବେ ନିୟୋଜିତ କରାଯାଇ ନ ଥିବା ସିପିଆଇଏମ୍‌ ସମ୍ପାଦକ ମହମ୍ମଦ ସଲିମ କହିଛନ୍ତି।
ଅନ୍ୟପକ୍ଷରେ ହିଂସାରେ ୧୦ ଜଣ କର୍ମୀଙ୍କୁ ହରାଇଥିବା ଟିଏମ୍‌ସି ଭୋଟରଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରୀୟ ବଳ ବିଫଳ ହୋଇଥିବା ଅଭିଯୋଗ କରିଛି। କେନ୍ଦ୍ରୀୟ ବଳ ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଥିଲେ। ଟିଏମ୍‌ସି କର୍ମୀମାନଙ୍କୁ ହତ୍ୟା କରାଯାଉଥିବାବେଳେ କେନ୍ଦ୍ରୀୟ ବଳ କୁଆଡ଼େ ଗଲା ବୋଲି ରାଜ୍ୟ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି। ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାଠାରୁ ଏପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ଘଟିଲାଣି। ରାଜ୍ୟପାଳ ଡ. ସି.ଭି. ଆନନ୍ଦ ବୋଷ ନିର୍ବାଚନ ସ୍ଥିତିର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତର ୨୪ ପ୍ରଗଣାର ବାରସାତ୍‌-୧ ସବ୍‌ଡିଭିଜନରେ ବୋମା ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ଘରକୁ ରାଜ୍ୟପାଳ ଯାଇଥିଲେ। ଏଥିସହିତ ହସ୍ପିଟାଲ ଯାଇ ସେ ଆହତ ବ୍ୟକ୍ତିଙ୍କୁ ଭେଟିବା ସହିତ ଡାକ୍ତରଙ୍କ ସହ କଥା ହୋଇ ତାଙ୍କୁ ଆର୍‌ଜି କର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରିଛନ୍ତି। ୨୨ ଜିଲା ପରିଷଦର ୯୨୮ ଆସନ, ୯,୭୩୦ ପଞ୍ଚାୟତ ସମିତି ଏବଂ ୬୩,୨୨୯ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ଶନିବାର ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ରାଜ୍ୟର ମୋଟ ୫.୬୭ କୋଟି ଭୋଟର ୨.୦୬ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯିବା ନୂଆ ଘଟଣା ନୁହେଁ। ଶନିବାର ୧୮ ଜଣଙ୍କ ମୃତ୍ୟୁ ସହ ମାସକ ମଧ୍ୟରେ ନିର୍ବାଚନଜନିତ ହିଂସାରେ ୩୬ ଜଣଙ୍କ ଜୀବନ ଯାଇଛି। ୨୦୦୩ ପଞ୍ଚାୟତ ନିର୍ବାଚନ ବେଳେ ଭୋଟ ଦିନ ୪୦ ଜଣଙ୍କ ମୃତ୍ୟୁ ଘଟିବା ସହ ମୋଟ ୭୬ ଜଣଙ୍କ ଜୀବନ ଯାଇଥିଲା। ୨୦୧୩ ନିର୍ବାଚନ ବେଳେ ୩୯ ଜଣ ଏବଂ ୨୦୧୮ ନିର୍ବାଚନ ବେଳେ ୩୦ ଜଣ ପ୍ରାଣ ହରାଇଥିଲେ।

Share