Categories: ଜାତୀୟ

ପଶ୍ଚିମବଙ୍ଗ ପୌର ନିର୍ବାଚନ ବେଳେ ହିଂସା

କୋଲକାତା,୨୮।୨ : ପଶ୍ଚିମବଙ୍ଗର ୧୦୮ ପୌର ସଂସ୍ଥା ପାଇଁ ରବିବାର ସକାଳେ ଆରମ୍ଭ ହୋଇଥିବାବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିବା ସହ ବୁଥ୍‌ ଜବରଦଖଲ ଓ ଜାଲ୍‌ ଭୋଟିଂ ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଜାଙ୍ଗିପୁରରେ ବିଭିନ୍ନ ଦଳର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ମୁର୍ଶିଦାବାଦର ବରହମ୍‌ପୁର ସହରରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ତଥା ସ୍ଥାନୀୟ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଭୋଟ ଦେବାକୁ ଯାଉଥିବାବେଳେ ତାଙ୍କୁ କେତେଜଣ ଟିଏମ୍‌ସି କର୍ମୀ ଅଟକାଇଥିଲେ। ଦୁଇଟି ଜିଲାରେ ପୋଲିସ ଉପରେ ଆକ୍ରମଣ ହୋଇଛି। ତେବେ ହିଂସାକାଣ୍ଡରେ କାହାର ମୃତ୍ୟୁ ଘଟିନାହିଁ। ଅପରାହ୍ନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦ୍ୱାରା ବୁଥ୍‌ ରିଗିଂ ହେଉଥିବା ଅଭିଯୋଗ କରି ଉତ୍ତର ଦିନାଜପୁର ଜିଲାର ଡଲଖୋଲାଠାରେ କଂଗ୍ରେସ ସମର୍ଥକମାନେ ୧୨ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ଛାଡ଼ିଥିଲା। ସେହିପରି ମୁର୍ଶିଦାବାଦ ଜିଲାର ଧୁଲିୟାନ୍‌ଠାରେ ଲୋକେ ୩ଟି ବୁଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯିବା ସହ କେତେକ ବୋମା ଜବତ ହୋଇଛି।

 

Share