ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶନିବାରଠାରୁ ୩୦ ତାରିଖ ସୋମବାର ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଅପପ୍ରଚାର, ମିଥ୍ୟା, ଗୁଜବ ଦ୍ୱାରା ଜିଲାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା କରି ଏହି ସେବା ବନ୍ଦ କରାଯାଇଛି। ଘଟଣାସ୍ଥଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି କରାଯିବା ସହ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ସହରରେ ଶାନ୍ତି ଫେରାଇବା ପାଇଁ ପ୍ରଶାସନ ସ୍ତରରେ ଉଦ୍ୟମ ଚାଲିଛି।

ଶୁକ୍ରବାର ରାତିରେ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକରେ ପହଞ୍ଚି ଜିଲାପାଳ, ଭଦ୍ରକ ବିଧାୟକ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତି ସଦଭାବନା ବଜାୟ ରଖିବାକୁ ଜନସାଧାରଣଙ୍କୁ ଗଣମାଧ୍ୟମରେ ନିବେଦନ କରିଛନ୍ତି। ଅପରପକ୍ଷେ ପୋଲିସକୁ ଆକ୍ରମଣ ଘଟଣାରେ ୧୦ ଜଣକୁ ଅଟକ ରଖାଯାଇଛି। ସେହିପରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ ଦାବିରେ ଧାମନଗର ବିଜୁ ପଟ୍ଟନାୟକ ଛକରେ ଶୁକ୍ରବାର ସନ୍ଧ୍ୟାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଟାୟାର ଜାଳି ରାସ୍ତାରୋକୋ ସହ ଥାନା ଘେରାଉ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ଧାମନଗରରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି ରହିଛି। ଧାମନଗର ପୋଲିସ ୯ ଜଣ ବିଶୃଙ୍ଖଳାକାରୀଙ୍କୁ ଅଟକ ରଖିଛି। ସୋସିଆଲ ମିଡିଆରେ ପୋଷ୍ଟ ମାମଲାରେ ତଦନ୍ତ ଦାୟିତ୍ୱ ସାଇବର ପୋଲିସକୁ ଦିଆଯାଇଛି। ଗଣ୍ଡଗୋଳକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି।

Share