Categories: ଜାତୀୟ

କାନପୁରରେ ହିଂସା: ୬ ଆହତ

କାନପୁର୍‌,୪।୬: ଭାଜପା ନେତା ନୁପୂର ଶର୍ମା ଏକ ଟେଲିଭିଜନ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଏକ ମୁସଲମାନ ସଂଗଠନ ଉତ୍ତରପ୍ରଦେଶ କାନପୁରସ୍ଥିତ ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ପରେଡ୍‌ ଚୌକରେ ଗୋଷ୍ଠୀସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି। ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ଶୁକ୍ରବାର ନମାଜପାଠ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବଜାର ବନ୍ଦ କରିବାକୁ ଆସିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା। ଉତ୍ତେଜନା ଲାଗିରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଟିଭି ବିତର୍କରେ ବିବାଦୀୟ ମନ୍ତବ୍ୟ ଦେଇ ମୁସଲମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବାରୁ ନୁପୂରଙ୍କ ବିରୋଧରେ ମହାରାଷ୍ଟ୍ରର ଠାଣେ ଓ ଦକ୍ଷିଣ ମୁମ୍ବାଇରେ ଦୁଇଟି ମାମଲା ରୁଜୁ ହୋଇଛି। ଜ୍ଞାନବାପି ମସ୍‌ଜିଦ ବିବାଦକୁ ନେଇ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ନୁପୂର କହିଥିଲେ, ଜ୍ଞାନବାପି ମସ୍‌ଜିଦ ପରିସରରୁ ଶିବଲିଙ୍ଗ ମିଳିଥିଲେ ହେଁ ମୁସଲମାନ ସମ୍ପ୍ରଦାୟ ଏହାକୁ ଏକ ଝରଣା କହି ହିନ୍ଦୁ ବିଶ୍ୱାସକୁ ପରିହାସ କରୁଛନ୍ତି। ମୁସଲମାନ ଧର୍ମଗ୍ରନ୍ଥର କେତେକ ଉକ୍ତିକୁ ନେଇ ଲୋକେ ମଜା କରିପାରନ୍ତି। ନୁପୂରଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେବା ସହ ତାଙ୍କୁ ବଳାତ୍କାର ଧମକ ମିଳିଥିଲା।

Share