ମୁମ୍ବାଇ,୩୦ା୩: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଅନ୍ତର୍ଗତ କିରାଦପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବାଇକ୍ରେ ଆସିଥିବା ଗୋଟିଏ ଗୋଷ୍ଠୀ ଆପତ୍ତିଜନକ ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବା ସହ ଟେକାମାଡ଼ ଓ ଗାଡ଼ି ପୋଡ଼ି ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ୯ଟି ପୋଲିସ ଗାଡ଼ିରେ ନିଆଁ ଲଗାଇଦେଇଥିଲେ। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଥିବା ଏଡିଜି କୁଲ୍ଓ୍ବନ୍ତ କୁମାର ସରାଙ୍ଗଲ୍ କହିଛନ୍ତି। ଦଙ୍ଗା ଓ ପୋଡ଼ାଜଳାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନ ସହରରେ ଶାନ୍ତିପୂର୍ଣ୍ଣ ରହିଛି ବୋଲି ସମ୍ଭାଜିନଗରର ସିପି ନିଖୀଳ ଗୁପ୍ତା କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ମହାରଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଲୋକଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି। ଆଜି ପର୍ଯ୍ୟନ୍ତ ଯେଉଁଭଳି ସମସ୍ତ ପର୍ବକୁ ଏକାସାଙ୍ଗରେ ପାଳନ କରାଯାଉଥିଲା ସେହିଭଳି ସମସ୍ତ ପର୍ବକୁ ପାଳନ କରିବା ଉଚିତ୍। ରାଜ୍ୟରେ ଆଇନ ବ୍ୟବସ୍ଥା ସ୍ଥିତିକୁ ଖରାପ୍ ନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।