ଇସଲାମାବାଦ,୨୬ ।୫: ପଡୋଶୀ ଦେଶ ପାକିସ୍ତାନରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ବିରୋଧର ନିଆଁରେ ଜଳୁଛି ପାକିସ୍ତାନ । ଶହବାଜ ସରକାରଙ୍କ ବିରୋଧରେ ଇମ୍ରାନ ଖାଁ ଅଣ୍ଟା ଭିଡିଛନ୍ତି । ପୁଣିଥରେ ନିର୍ବାଚନ ଦାବି କରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜାଦୀ ମାର୍ଚ୍ଚ ବାହାର କରିଛନ୍ତି । ଏଥିରେ ପିଟିଆଇର ହଜାର ହଜାର ସମର୍ଥକ ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଇସଲାମାବାଦରେ ପହଞ୍ଚିଥିବା ବେଳେ ହିଂସା ପରିସ୍ଥିତି ଉପୁଜିଛି । ଇମ୍ରାନଙ୍କ ସମର୍ଥକମାନେ ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । କେବଳ ସେତିକି ନୁହେଁ ଇମ୍ରାନଙ୍କ ସମର୍ଥକମାନେ ପାକିସ୍ତାନର ଭିନ୍ନ ଭିନ୍ନ ସହରରେ ହିଂସା ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହି ସମୟରେ ପୋଲିସ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫର କେତେଜଣ ସମର୍ଥକଙ୍କୁ ଗିରଫ କରିଛି । କରାଚି ଠାରୁ ଲାହୋର ପର୍ଯ୍ୟନ୍ତ ସବୁଠି ଇମ୍ରାନଙ୍କ ସମର୍ଥକ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।