Categories: ଜାତୀୟ

ସିଧୁଙ୍କ ହତ୍ୟାର ୫ଦିନ ପରେ ପୁଣି ବଢ଼ିଲା ଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨।୬: ପଞ୍ଜାବ ସରକାର ୪୨୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ରାପର ଗାୟକ ସିଧୁ ମୂସେଓ୍ବାଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ତେବେ ଘଟଣାର ୫ଦିନ ପରେ ପଞ୍ଜାବର ଏଏପି ସରକାର ପୁଣି ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜୁନ ୭ରୁ ୪୨୪ଜଣ ଭିଆଇପିଙ୍କ ସୁରକ୍ଷା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାରକୁ ନେଇ ଏଏପି ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ହରିଆଣା ହାଇକୋର୍ଟ। ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ପୂର୍ବରୁ ତାଲିକାକୁ କାହିଁକି ସାର୍ବଜନୀନ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ନିଷ୍ପତ୍ତି ପୂର୍ବରୁ ପରିସ୍ଥିତିର ଯାଞ୍ଚ ସହ ସମସ୍ତ ବିଷୟ ଉପରେ ବିଚାରବିମର୍ଶ କରିବାର ଆବଶ୍ୟକତା ରହିଥିଲା ବୋଲି କୋର୍ଟ କହିଛନ୍ତି। ହେଲେ ସରକାରଙ୍କ ତରବରିଆ ଭାବେ ନେଇଥିବା ନିଷ୍ପତ୍ତିକୁ କୋର୍ଟ ତାଗିଦ୍‌ କରିଛନ୍ତି। ଯାହାଫଳରେ ପଞ୍ଜାବ ସରକାର ପୁଣି ଥରେ ଏହି ସୁରକ୍ଷା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share