ବୀର ସୁରେନ୍ଦ୍ର ସାଏ ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ ବିତାଇଥିଲେ ।
ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ ଏବଂ ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀକୁ ଚକିତ କରିଥିଲା ।
୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁତ୍ର ମିତ୍ରଭାନୁ ସାଏ ଓ ଜଣେ କନ୍ୟା ଥିଲେ ।
ବୀର ସୁରେନ୍ଦ୍ର ସାଇ ଏବଂ ତାଙ୍କ ସହଯୋଗୀ ମାଧୋ ସିଂ, କୁଞ୍ଜଲ ସିଂ, ଆରି ସିଂ, ବରୀ ସିଂ, ଉଦାନ୍ତ ସାଇ, ଉଜଲ ସାଇ, ଖାଗେଶ୍ୱର ଦାଓ, କରୁଣାକର ସିଂ, ସାଲେଗ୍ରାମ ବରିହା, ଗୋବିନ୍ଦ ସିଂ, ପହର ସିଂ, ରାଜୀ ଘାସ, କମଲ ସିଂ, ହାତି ସିଂ, ସାଲିକ ରାମ ବାରିହା, ଲୋକନାଥ ପଣ୍ଡା, ଶ୍ରୀଟୁଞ୍ଜୟା ପାନିଗ୍ରାହି, ଜଗବନ୍ଧୁ ହୋଟା, ପଦ୍ମନାଭ ଗୁରୁ, ତ୍ରିଲୋଚନ ପାନିଗ୍ରାହି ଏବଂ ଅନ୍ୟମାନେ ମିଳିତ ଭାବରେ ଏବଂ ପୃଥକ ଭାବରେ କାର୍ଯ୍ୟ କରି ଭାରତରେ ବ୍ରିଟିଶ ଉପନିବେଶ ବିସ୍ତାରକୁ ପ୍ରତିରୋଧ କରିଥିଲେ, ଏବଂ ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ପଶ୍ଚିମ ଓଡିଶା ଅଞ୍ଚଳର ଅଧିକାଂଶ ଉପରେ ନିୟନ୍ତ୍ରଣ କରିବାରେ ବାଧା ଦେଇଥିଲେ।
ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ ୨୩ ଜାନୁଆରୀ ୧୮୬୪ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଗିରଫ ହୋଇଥିଲେ । ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲା ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ ବିତାଇଥିଲେ। ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୀରଗଡ଼ ଦୁର୍ଗରେ ସୁରେନ୍ଦ୍ର ସାଏ ଦେହତ୍ୟାଗ କରିଥିଲେ।