ଲଳିଥା ପ୍ୟାଲେସ୍‌ରେ ବିରାଜିବେ ମା’

ଭୁବନେଶ୍ୱର,୧୯।୯(ବ୍ୟୁରୋ):ପାଖେଇ ଆସିଲାଣି ଦୁୁର୍ଗାପୂଜା। ବିରାଜମାନ କରିବେ ମା’। ଏବେ ରାଜଧାନୀ ଉତ୍ସବମୁଖର। ଦୀର୍ଘ ୨ବର୍ଷ ପରେ ବଡ଼ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା। ଏଥିପାଇଁ ବମିଖାଲ ଦୁର୍ଗା ମଣ୍ଡପ ବେଶ୍‌ ସଜେଇ ହେଲାଣି। ଚଳିତବର୍ଷ ମହୀଶୂରର ଲଳିଥା ମହଲ ପ୍ୟାଲେସ୍‌ରେ ମନ ମୋହିବେ ମା’। ଜନ୍ମାଷ୍ଟମୀରେ ମାଟି ଅନୁକୂଳ କରାଯାଇ ମୂର୍ତ୍ତି ଓ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ମୂର୍ତ୍ତି ଓ ମେଢ଼ର ଉଚ୍ଚତା ୨୦ଫୁଟ ରହିବ। ତୋରଣ ୭୫ଫୁଟ ଉଚ୍ଚତା ବିଶିଷ୍ଟ ହେବା ସହ ଓସାର ୧୧୦ ଫୁଟ ରହିବ। କୋଲକାତାରୁ ୩୫ଜଣ କାରିଗର ମୂର୍ତ୍ତି ତିଆରି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଳିତବର୍ଷର ବଜେଟ୍‌ ୩୨ଲକ୍ଷ ରଖାଯାଇଛି। ୫ଦିନ ଧରି ମା’ଙ୍କ ପୂଜା ଉତ୍ସବ ଚାଲିବ। ଅଷ୍ଟମୀ ଦିନ ପ୍ରାୟ ୨୫୦୦ଲୋକଙ୍କୁ ପ୍ରସାଦ ବଣ୍ଟାଯିବାର ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ ମା’ଙ୍କୁ ଖେଚୁଡି ଭୋଗ ଦିଆଯିବ। କେବଳ ନବମୀ ଦିନ ଦହି ପଖାଳ ଭୋଗ ଲଗାଯିବ। ଚଳିତବର୍ଷ ଭିଡ଼ର ସମ୍ଭାବନା ଅଧିକ ଥିବାରୁ ସିସି ଟିଭି, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି। ବମିଖାଲ ଗ୍ରାମରୁ ୫୦ଜଣ ଓ ୩୦ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ବୌଦ୍ଧ ଜିଲାର ପାରମ୍ପରିକ ବାଦ୍ୟରେ ମା’ଙ୍କର ଭସାଣି ଅନୁଷ୍ଠିତ ହେବ। ଏଥିସହ ୫ଦିନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Share