ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ

ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ଅଡ଼ୁଆ ବଢିଛି। ଶନିବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ଡିିଜିପି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାଇରାଲ ଅଡିଓରୁ ମିଳିଥିବା ତଥ୍ୟ ଅନୁସାରେ ଥାନା ଅଧିକାରୀ ଧନେଶ୍ୱର ଡ୍ରଗ୍ସ ମାଫିଆଙ୍କୁ ବ୍ୟବସାୟରେ ସହାୟତା ପାଇଁ ଜଣେ ଆଇନଜୀବୀଙ୍କ ସହାୟତାରେ ୫ ଲକ୍ଷ ଟଙ୍କା ମାଗିଥିଲେ। ଉକ୍ତ ଡ୍ରଗ୍ସ ମାଫିଆ ୨ ଲକ୍ଷ ଟଙ୍କା ଦେଇ ଆଉ ୩ ଲକ୍ଷ ଟଙ୍କା ପାଞ୍ଚ ଦିନ ପରେ ଦେବ ବୋଲି ଆଇନଜୀବୀଙ୍କ ମାଧ୍ୟମରେ କହିଥିଲେ। ୩ ଲକ୍ଷ ଟଙ୍କା ଦେବାର ବିଳମ୍ବ ହେବାରୁ ଆଇନଜୀବୀ, ଡ୍ରଗ୍ସ ମାଫିଆ ଓ ଥାନା ଅଧିକାରୀଙ୍କ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଭାଇରାଲ ହୋଇଥିଲା। ଏହାକୁ ଭିତ୍ତି କରି ଡିଆଇଜି ରିତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ ହୋଇଥିଲା। ତେବେ ଶନିବାର ଆଇଆଇସି ଧନେଶ୍ୱରଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

Share