Categories: ଜାତୀୟ

ଭାଇରାଲ ଫିଭର୍‌, ସପ୍ତାହେ ମଧ୍ୟରେ ୨୬ ଶିଶୁଙ୍କ ସମେତ ୫୦ ମୃତ…

ଲକ୍ଷ୍ନୌ,୨୯।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାର ନାଁ ଧରୁନି। ଅପରପକ୍ଷରେ ତୃତୀୟ ଲହର ଆତଙ୍କରେ ଲୋକଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପଶ୍ଚିମ ଉତ୍ତରପ୍ରଦେଶରେ ଭାଇରାଲ ଫିଭର୍‌ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୬ ଜଣ ଶିଶୁ ରହିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ର ଅଭାବ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗର ସରକାରୀ ଆକଳନ ଅନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଅଧିକ ଜ୍ୱର, ଡିହାଇଡ୍ରେସନ ଏବଂ ହଠାତ୍‌ ପ୍ଲେଟଲେଟ ଗଣନାରେ ହ୍ରାସ ଯୋଗୁ ଆଗ୍ରା, ଫିରୋଜାବାଦ, ମଥୁରା, ମୈନପୁରୀ, ଏଟା ଏବଂ କାସଗଞ୍ଜ ଜିଲ୍ଲାରେ ୫୦ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ହେଉଥିବା ଲୋକେ ସୁସ୍ଥ ହେବାକୁ ୧୨ ଦିନରୁ ଅଧିକ ସମୟ ନେଉଛନ୍ତି।

ପୂର୍ବ ଉତ୍ତରପ୍ରଦେଶର ଗୋଣ୍ଡା, ବସ୍ତି, ଦେଓରିଆ, ବାଲିଆ, ଆଜମଗଡ, ସୁଲତାନପୁର, ଜୈନପୁର ଏବଂ ଗାଜିପୁରରେ ମଧ୍ୟ ଲୋକେ ଭାଇରାଲ ଫିଭରରେ ଆକ୍ରାନ୍ତ ହେଉଛନ୍ତି। ଫିରୋଜାବାଦରେ ସର୍ବାଧିକ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଫିରୋଜାବାଦ ସିଏମଓ ଡ ନୀତା କୁଲଶ୍ରେଷ୍ଠ କହିଛନ୍ତି ଯେ ଭାଇରାଲ ଫିଭର୍‌ରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ କେହି କରୋନା ପଜିଟିଭ ନୁହଁନ୍ତି। ଏହି ମୃତ୍ୟୁର କାରଣ କ’ଣ ଥିଲା, ଏହାର ଅନୁସନ୍ଧାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଗ୍ରାମାଞ୍ଚଳରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ୧୨ ଜଣିଆ ଟିମ୍‌କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସମସ୍ତ ସହାୟକ ନର୍ସ ଏବଂ ଆଶା କର୍ମଚାରୀ ମଧ୍ୟ ଏଥି ପାଇଁ ଦିନରାତି କାମ କରୁଛନ୍ତି। ଡାକ୍ତରମାନେ କହିଛନ୍ତି ଏହା ଚିନ୍ତାର ବିଷୟ ଯେ ଭାଇରାଲ ଫିଭରରୁ ସୁସ୍ଥ ହେବା ସମୟ ୪ ରୁ ୫ ଦିନ ପରିବର୍ତ୍ତେ ଏବେ ଏହା ୧୦-୧୨ ଦିନରୁ ଅଧିକ ରହୁଛି। ଫିରୋଜାବାଦ ମେଡିକାଲ କଲେଜର ପ୍ରତ୍ୟେକ ଡାକ୍ତରଖାନାରେ ଦୁଇରୁ ତିନି ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ହଂସରାଜ ସିଂ କହିଛନ୍ତି ,ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇ ୧୦୦ ରୁ ଅଧିକ ଶିଶୁ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଗ୍ରାର ଜିଲା ହସ୍ପିଟାଲର ଅଧୀକ୍ଷକ ଡ ଏ.କେ ଅଗ୍ରୱାଲ କହିଛନ୍ତି, ଆମେ ପ୍ରତିଦିନ ଅତି କମରେ ୨୦୦ ଆକ୍ରାନ୍ତଙ୍କୁ ଯାଞ୍ଚ୍‌ କରୁଛୁ। ଗତ ୩ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ପିଲାମାନେ ଭାଇରାଲ ଫିଭରରେ ସବୁଠାରୁ ଅସୁରକ୍ଷିତ ରହିଛନ୍ତି। ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ଖରାପ ରହିଛି। ଗତ ବର୍ଷ ଲୋକମାନେ ଘରେ ରହି ସ୍ବଚ୍ଛତା ରକ୍ଷା କରୁଥିବାରୁ ଭାଇରାଲ ଫିଭର୍‌ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲା। ତେବେ ଚଳିତ ବର୍ଷ ଏହା ବଢ଼ିଥିବା ଚିକିତ୍ସକମାନେ ମତପୋଷଣ କରିଛନ୍ତି।

Share