Categories: ଖେଳ

କୋହଲିଙ୍କ ହୋଟେଲ୍‌ ରୁମ୍‌ ଭିଡିଓ ଭାଇରାଲ ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପର୍ଥ,୩୧।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ରହୁଥିବା ହୋଟେଲ ରୁମ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରାଗିଯାଇ କୋହଲି ଗୋପନୀୟତା ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ବିରାଟଙ୍କ ଜଣେ ପ୍ରଶଂସକ ହୋଟେଲରେ ଥିବା ତାଙ୍କ ରୁମ୍‌ ଭିତରକୁ ଯାଇ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହା ସହିତ ଏହି ପ୍ରଶଂସକ ଲେଖିଛନ୍ତି ଯେ କିଙ୍ଗ କୋହଲିଙ୍କ ହୋଟେଲ ରୁମ। ବିରାଟ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପରେ ହୋଟେଲ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ହଟାଇ ଦିଆଯାଇଛି। ଏହା ସହିତ ହୋଟେଲ କ୍ରାଉନ କହିଛି, ଦ୍ୱିତୀୟ ଥର ଏପରି ଘଟଣା ଯେପରି ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ହୋଟେଲ ଏହା ମଧ୍ୟ କହିଛି ଯେ ଭାରତୀୟ କ୍ରିକେଟ ଦଳ ଏବଂ ଆଇସିସି ସହ ଆଲୋଚନା ହେଉଛି।
ପ୍ରଶଂସକଙ୍କ ଏହି କାର୍ଯ୍ୟ ଉପରେ ବିରାଟ କୋହଲି ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରି ନିଜର କ୍ରୋଧ ପ୍ରକାଶ କରିଥିଲେ। ଭିଡିଓ ପୋଷ୍ଟ କରି ସେ ଲେଖିଥିଲେ, ମୁଁ ବୁଝିପାରୁଛି ଯେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖି ବହୁତ ଖୁସି ହୁଅନ୍ତି। ତାଙ୍କୁ ଭେଟିବାକୁ ଉତ୍ସାହିତ ଏବଂ ମୁଁ ଏହାକୁ ସର୍ବଦା ସପୋର୍ଟ କରିଛି କିନ୍ତୁ ଏହି ଭିଡିଓ ଭୟଙ୍କର ଅଟେ। ଏହା ମୋର ଗୋପନୀୟତା ପଦାରେ ପକାଇଛି। ଯଦି ମୁଁ ମୋର ହୋଟେଲ ରୁମରେ ଗୋପନୀୟତା ରକ୍ଷା କରିପାରିବି ନାହିଁ, ତେବେ ମୁଁ ଆଉ କେଉଁଠି ବ୍ୟକ୍ତିଗତ ସ୍ଥାନ ଆଶା କରିପାରିବି ? ଗୋପନୀୟତାର ଏପରି ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ମୁଁ ସହମତ ନୁହେଁ। ଦୟାକରି ଲୋକଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କୁ ମନୋରଞ୍ଜନର ବସ୍ତୁ ଭାବରେ ବ୍ୟବହାର କରନ୍ତୁ ନାହିଁ।

 

Share