ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି: ୮୦୦ଥର ଫୋନ୍‌ ପରେ ବି ମିଳିଲାନି ସହାୟତା

ଭୋପାଳ,୨୬।୫: ମଧ୍ୟପଦେଶରେ କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ପ୍ରାୟ ୬୦ଟି ଇଞ୍ଜେକ୍ସନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟବିଭାଗ ଦାବି କରିଛି। ହେଲେ ରାଜ୍ୟରେ ଇଞ୍ଜେକ୍ସନର ଅଭାବ ଦେଖାଯିବା ପରେ ରୋଗୀଙ୍କ ଚିକିତ୍ସାରେ ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ଗ୍ବାଲିଅର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଝିଅ ନିଜ ପିତାଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଗୁହାରି କରିଥିବା ଦେଖିବାକୁ ମିଳିଛି। ଉକ୍ତ ଝିଅ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀଙ୍କୁ ବି ସହାୟତା ପାଇଁ ପ୍ରାୟ ୮ଶହରୁ ୯ଶହ ଥର ଫୋନ କରିଥିଲେ। କିନ୍ତୁ ତାଙ୍କୁ କେହି ସହାୟତା ଯୋଗାଇ ଦେଇ ନ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଝିଅ ରେଣୁଙ୍କ ପିତା ରାଜକୁମାର ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ବେଳେ ଗତ ୮ଦିନରୁ ତାଙ୍କୁ ଗ୍ବାଲିଅର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଯୋଗୁ ତାଙ୍କର ଆଖି ଓ ଏକ ମାଢ଼ିକୁ ଅପରେଶନ୍‌ ଦ୍ୱାରା କଢ଼ାଯାଇଛି। ତାଙ୍କୁ ପ୍ରତିଦିନ ୬ରୁ ୭ଟି ଇଞ୍ଜେକ୍ସନ ଆବଶ୍ୟକ ପଡ଼ୁଛି। ହେଲେ ରାଜ୍ୟରେ ଇଞ୍ଜେକ୍ସନ ଅଭାବରୁ ରାଜକୁମାରଙ୍କ ଚିକିତ୍ସା କରାଯାଇପାରୁ ନାହିଁ। ଫଳରେ ଝିଅ ରେଣୁ ଇଞ୍ଜେକ୍ସନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ଅନ୍ୟପଟେ ଏହି ଭିଡିଓ ଭାଇରାଲ ହେବା ପରେ ସ୍ବାସ୍ଥ୍ୟବିଭାଗର ମୁଖ୍ୟ ଚିକିତ୍ସକ ଡାକ୍ତର ମନୀଷ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗ୍ବାଲିଅର ଓ ଭୋପାଳରେ ଇଞ୍ଜେକ୍ସନ ଉପଲବ୍ଧ ନାହିଁ। ତେଣୁ ମୁମ୍ବାଇରୁ ଇଞ୍ଜେକ୍ସନ ମଗାଯାଇଛି। ଏହା ଖୁବ୍‌ଶୀଘ୍ର ରାଜ୍ୟରେ ପହଞ୍ଚିବ ଏବଂ ସର୍ବପ୍ରଥମେ ରେଣୁଙ୍କ ପିତାଙ୍କୁ ଦିଆଯିବ ବୋଲି ମନୀଷ ଶର୍ମା କହିଛନ୍ତି।

Share