ମୁମ୍ବାଇ: ନିକଟରେ ଭାଇରାଲ ହେଉଥିବା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ଫେକ୍ ଭିଡିଓ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିନେଇ ଦୁଃଖପ୍ରକାଶ କରିବା ସହ ଟେକ୍ନୋଲୋଜିର ଭୁଲ୍ ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରିଥିବା ପ୍ରିୟଜନ, ବନ୍ଧୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଶ୍ମିକା ‘ଏକ୍ସ’ରେ ଏକ ପୋଷ୍ଟ ଶେୟାରକରି କହିଛନ୍ତି, ଯେଉଁଭଳି ଭାବେ ଟେକ୍ନୋଲୋଜିର ଦୁରୁପଯୋଗ କରାଯାଉଛି, ତାହା କେବଳ ତାଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ତାଙ୍କ କଲେଜ ଜୀବନରେ ଏପରି ଏକ ଘଟଣାର ସମ୍ମୁଖୀନ ହୋଇଥିବା କହିଥିଲେ। ପ୍ରକାଶ ଥାଉ କି, ନିକଟରେ ରଶ୍ମିକାଙ୍କ ଏକ ଏଆଇ ଏଡିଟେଡ୍ ଭିଡିଓ ଭାଇରାଲ୍ ହୋଇଥିଲା। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ଡିପ୍ଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ଭିଡିଓ ଏଡିଟ୍ କରାଯାଇଥିଲା, ଯାହା ରଶ୍ମିକାଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଇବା ସଦୃଶ ଥିଲା। ଏହା ତାଙ୍କୁ ବେଶ୍ ଆଘାତ ଦେଇଛି ବୋଲି ସେ କହିଛନ୍ତି। ଏହାକୁ ନେଇ ବିଗ୍ ବି ଅମିତାଭ ବଚ୍ଚନ ଏବଂ ବରିଷ୍ଠ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ। ଏହାର ଦୁରୁପଯୋଗ ଉପରେ ରୋକ ଲଗାଇବା ପାଇଁ ସେମାନେ ଦାବି କରିଥିଲେ।