ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି ଯାହାକୁ ଆଉ କେହି ବୁଝିବା କଷ୍ଟ । ଝିଅର ଖୁସି ପାଇଁ ପିତା ସବୁକିଛି କରିପାରନ୍ତି । ଝିଅବି ପିତାଙ୍କ ଆଗରେ କାହାକଥା ଶୁଣନ୍ତି ନାହିଁ ।
ଏମିତି ଏକ ସମ୍ପର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ପୂଜା ଅବନ୍ତିକା ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି । ଭାଇରାଲ ଭିଡିଓରେ ଜଣେ କୁନି ଝିଅ ତାଙ୍କ ପିତାଙ୍କର ସ୍ୱିଗିରେ ନୂଆ କାମ ମିଳିବାରୁ ଏତେ ଖୁସି ହୋଇଯାଇଛନ୍ତି ଯେ ଖୁସିରେ ସେ ଆତ୍ମହରା ହୋଇ ଉଠିଛନ୍ତି । ଆଉ ପିତାଙ୍କୁ କୁଣ୍ଡାଇ ପକାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ୟୁଜର୍ସ ପିତା-ପୁତ୍ରୀଙ୍କ ପବିତ୍ର ସମ୍ପର୍କକୁ ଦେଖି ବହୁତ କିଛି ଲେଖିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି, ଜଣେ କୁନି ଝିଅ ଆଖି ବନ୍ଦ କରି ଠିଆ ହୋଇଛନ୍ତି । ଆଉ ସେ ଆଖି ଖୋଲିବା ବେଳକୁ ତାଙ୍କ ପିତା ସ୍ୱିଗିର ଏକ ଟିସର୍ଟ ଧରି ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି । ତେବେ ପିତା ସ୍ୱିଗିରେ ନୂଆ କାମ ପାଇଥିବା ଜାଣିବା ପରେ ଖୁସିରେ ଝୁମି ଉଠିଛନ୍ତି କୁନି ଝିଅଟି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

Share