ଭାଇରାଲ ଓ୍ବାର୍ଡ ଗେମ୍‌ ‘ଓ୍ବାର୍ଡଲେ’

ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍‌ ଅନଲାଇନରେ ବେଶ୍‌ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ୟୁଜର୍ସ ଏବେ ଏହି ଖେଳରେ ମାତିଛନ୍ତି। ଏହାର ନାମ ହେଉଛି ‘ଓ୍ବାର୍ଡଲେ’। ନିଜ ପାର୍ଟନରଙ୍କୁ ଉପହାର ଦେବାକୁ ନ୍ୟୁୟର୍କ ବାସିନ୍ଦା ଜୋଶ୍‌ ଓ୍ବାର୍ଡଲେ ଏହି ଗେମ୍‌ ପ୍ରସ୍ତୁତ କରିଥିଲେ। ଗତ ନଭେମ୍ବରରୁ ଚଳିତ ଜାନୁୟାରୀ ମଧ୍ୟରେ ଓ୍ବାର୍ଡଲେ ଗେମ୍‌ର ୟୁଜର୍ସ ୯୦ରୁ ୩ ଲକ୍ଷକୁ ବୃଦ୍ଧି ପାଇଥିବା ଜୋଶ୍‌ କହିଛନ୍ତି। କୋଭିଡ୍‌-୧୯ରେ ଲୋକେ ଘର ଭିତରେ ରହୁଥିବାବେଳେ ସେମାନଙ୍କୁ ମନୋରଞ୍ଜନ ଯୋଗାଇ ଦେଇପାରିଥିବାରୁ ସେ ଖୁସି ବୋଲି ଜୋଶ୍‌ ପ୍ରକାଶ କରିଛନ୍ତି।
ଓ୍ବାର୍ଡଲେ ଏକ ଅନ୍‌ଲାଇନ ଶବ୍ଦ ଖେଳ। ଜଣେ ଏହାକୁ ପ୍ରତିଦିନ ଖେଳିପାରିବେ। ଦିନକୁ ମାତ୍ର ଗୋଟିଏ ପଜଲ୍‌ ଏଥିରେ ସମାଧାନ କରିବାକୁ ରହିଛି। ଏହାର କୌଣସି ଆପ୍ଲିକେଶନ ନାହିଁ। ଗେମ୍‌ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଏହାକୁ ଅନ୍‌ଲାଇନ ଖେଳିହେବ। ଏହି ପଜଲରେ ୫ଟି ବର୍ଣ୍ଣର ଶବ୍ଦ ରହିଛି, ଯାହାକୁ ୬ଟି ଉଦ୍ୟମରେ ବାହାର କରିବାକୁ ହେବ। ପ୍ରତି ଉଦ୍ୟମରେ ବୈଧ ୫ ବର୍ଣ୍ଣ ବିଶିଷ୍ଟ ଶବ୍ଦ ବାହାରିବା ଆବଶ୍ୟକ। ପ୍ରତ୍ୟେକ ଥରରେ ବର୍ଣ୍ଣ ପାଇଁ ଥିବା ବକ୍ସଗୁଡ଼ିକର ରଙ୍ଗ ବଦଳିବ। ଯଦି ସେଗୁଡ଼ିକ ସବୁଜ ରଙ୍ଗ ହୋଇଯାଏ ତେବେ ଆପଣଙ୍କ ଶବ୍ଦ ଠିକ୍‌ ଅଛି ଏବଂ ବର୍ଣ୍ଣଗୁଡ଼ିକ ଠିକ୍‌ ସ୍ଥାନରେ ରହିଛି ବୋଲି ଜଣାପଡ଼ିବ। ଯଦି ତାହା ହଳଦିଆ ହୁଏ ତେବେ ବର୍ଣ୍ଣଗୁଡ଼ିକ ଠିକ୍‌ ଅଛି କିନ୍ତୁ ତାହା ଉପଯୁକ୍ତ ସ୍ଥାନରେ ରହିନାହିଁ ବୋଲି ଧରାଯିବ।

Share