ନିଷ୍ପତ୍ତି ବଦଳାଇଲା ଜୋମାଟୋ; ପୂର୍ବଭଳି ଡେଲିଭରି ବଏ ପିନ୍ଧିବେ ଲାଲ୍‌ ପୋଷାକ

ନୂଆଦିଲ୍ଲୀ,୨୦।୩: ବିବାଦ ପରେ ନିଷ୍ପତ୍ତି ବଦଳାଇଛି ଅନଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ‘ଜୋମାଟୋ’। ନିରାମିଷ(ଭେଜ୍‌) ଖାଉଥିବା ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ସେବା ଆରମ୍ଭ କରିବା ନେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲ ଘୋଷଣା କରିଥିଲେ। ଏଥିରେ ବିତରକମାନେ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ବୋଲି କୁହାଯାଇଥିଲା। ହେଲେ ଏବେ ପୂର୍ବଭଳି ସମସ୍ତ ଅର୍ଡର ପାଇଁ ଡେଲିଭରି ବଏ ଲାଲ ରଙ୍ଗର ପୋଷାକ ପିନ୍ଧିବେ ବୋଲି ସିଇଓ ଗୋଏଲ କହିଛନ୍ତି।

ପ୍ରକାଶ ଯେ, ନିକଟରେ ଶୁଦ୍ଧ ନିରାମିଷ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ଲାଗି କମ୍ପାନୀ ଏକ ସ୍ବତନ୍ତ୍ର ସେବା ‘ପିୟୋର ଭେଜ୍‌ ଫ୍ଲିଟ୍‌’ ଆରମ୍ଭ କରିଥିଲା। ଏଥିରେ ଡେଲିଭରି ବଏମାନେନ ସବୁଜ ରଙ୍ଗର ପୋଷାକ ଏବଂ ସବୁଜ ରଙ୍ଗର ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଏକ୍ସରେ ଏକ ପୋଷ୍ଟ କରି ସେବା ଆରମ୍ଭ ହୋଇଥିବା ନେଇ ଘୋଷଣା କରିଥିଲେ।

ହେଲେ ଜୋମାଟୋର ଏହି ସ୍ବତନ୍ତ୍ର ସେବାକୁ ଗ୍ରାହକ ବିରୋଧ କରିଥିଲେ। ଏପରିକି ଅନେକ ଲୋକ ସୋସିଆଲ ମିଡିଆରେ ଜୋମାଟୋ ନିଷ୍ପତ୍ତି ବଦଳାଉ ବୋଲି ଅପିଲ କରିଥିଲେ। କାରଣ ଏହି ସେବା ଆମିଷ ଖାଉଥିବା ଲୋକଙ୍କ ପ୍ରତି ଭେଦଭାବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହନ ଦେଇପାରେ। ଏପରିକି ବିତରକମାନଙ୍କୁ ମଧ୍ୟ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ଲୋକଙ୍କ ପ୍ରତିକ୍ରିୟାକୁ ଦେଖି ୧୨ ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତିକୁ ବଦଳାଯାଇଥିବା ସିଇଓ କହିଛନ୍ତି। ପୂର୍ବଭଳି ସମସ୍ତେ ସମାନ ରଙ୍ଗର ଲାଲ ପୋଷାକ ପିନ୍ଧିବେ। କିନ୍ତୁ ଗ୍ରାହକଙ୍କ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

Share