ନୂଆଦିଲ୍ଲୀ,୧।୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ। ଏହି ମ୍ୟାଚ୍ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଟେଷ୍ଟ ଅଧିନାୟକ ପଦ ନିର୍ବାହ କରିବେ। ସେହିଭଳି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏହା ୧୦୦ତମ ଟେଷ୍ଟ ମ୍ୟାଚ୍ ହେବ। ମ୍ୟାଚ୍ର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ବିସିସିଆଇ ଏବେ ବଡ଼ ନିଷ୍ପତ୍ତି ନେଇଛି।
ବିରାଟଙ୍କୁ ଉପହାର ଦେବାକୁ ଯାଇ ବିସିସିଆଇ ମୋହାଲି ଟେଷ୍ଟରେ ୫୦% ଦର୍ଶକଙ୍କ ଉପସ୍ଥିତିକୁ ଅନୁମତି ଦେଇଛି। ଫଳରେ ଦର୍ଶକମାନେ ତାଙ୍କର ଏହି ଟେଷ୍ଟ ମ୍ୟାଚ୍କୁ ଆଖିରେ ଦେଖିପାରିବେ।
କହିରଖୁଛୁ, ଜଣେ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ଭାବେ କୋହଲି ପରିଚିତ। ସଚିନ ତେନ୍ଦୁଲକରଙ୍କ ପରେ ସେ ସବୁଠାରୁ ଅଧିକ ୭୧ ଶତକ ମାରିଛନ୍ତି। ଏଣୁ ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ରେ ପୁଣି ଥରେ ବିରାଟଙ୍କୁ ଫର୍ମରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ପ୍ରଶଂସକ।