କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ଭାରତରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଏହି ପରିସ୍ଥିତିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନ୍‌ଲାଇନ୍‌ ଜରିଆରେ କରୋନା ଆକ୍ରାନ୍ତଙ୍କ ପାଇଁ ଅର୍ଥ ଯୋଗାଡ଼ କରିବାକୁ ବିରୁଷ୍କା ଏକ ଅଭିଯାନ ଆରମ୍ଭ କରିଛନ୍ତି। ଟୁଇଟରରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଭାରତରେ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଚାଲିଛି। ଏହାକୁ ଦେଖି ଆମକୁ ବହୁତ ଖରାପ ଲାଗୁଛି। ସେ ଆହୁରି କହିଛନ୍ତି, ଯେଉଁମାନେ ଦିନରାତି ଆମ ପାଇଁ କଷ୍ଟ କରୁଛନ୍ତି ଆମେ ତାଙ୍କ ସହ ଠିଆ ହେବୁ।

ଅନୁଷ୍କା ଏକ ଭିଡିଓ ଶେୟାର କରି କହିଛନ୍ତି, ଆମେ ସମସ୍ତେ ମିଶି ଏହି ସଙ୍କଟ ଦୂର କରିବା। ଭାରତ ଏବଂ ଭାରତୀୟମାନଙ୍କୁ ସମର୍ଥନ କରି ଆଗକୁ ବଢନ୍ତୁ। ଆପଣଙ୍କ ଯୋଗଦାନ ଏହି ମହତ୍ତ୍ୱପୂର୍ଣ୍ଣ ସମୟରେ ଜୀବନ ବଞ୍ଚାଇବାରେ ସହାୟତା ହେବ।