Categories: ଖେଳ

କୋହଲିଙ୍କ ଟୁଇଟ୍‌କୁ ମିଳିଛି ବର୍ଷର ସର୍ବାଧିକ ଲାଇକ୍‌

ନୂଆଦିଲ୍ଲୀ,୯।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ‘ଭାମିକା’ର ଜନ୍ମକୁ ନେଇ କରିଥିବା ଟୁଇଟ୍‌କୁ ୨୦୨୧ରେ ସର୍ବାଧିକ ଲାଇକ୍‌ ମିଳିଛି। ଏ ନେଇ ଗୁରୁବାର ଘୋଷଣା କରିଛି ଟୁଇଟର ଇଣ୍ଡିଆ।

କୋହଲି ଜାନୁୟାରୀ ୧୧ ତାରିଖରେ ତାଙ୍କ ଝିଅ ଜନ୍ମ ନେଇ ଟୁଇଟରରେ ଏକ ପୋଷ୍ଟ ଜରିଆରେ ଘୋଷଣା କରିଥିଲେ। ”ଆନନ୍ଦର ସହ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଆଜି ଅପରାହ୍ନରେ ଆମକୁ ଆଶୀର୍ବାଦ ରୂପେ ଶିଶୁକନ୍ୟା ପ୍ରାପ୍ତ ହୋଇଛି। ଆପଣମାନଙ୍କ ଭଲପାଇବା, ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି“ ବୋଲି କୋହଲି ପୋଷ୍ଟରେ ଲେଖିଥିଲେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପାଟ କୁମିନ୍ସଙ୍କ ଟୁଇଟ୍‌କୁ ଭାରତରେ ସର୍ବାଧିକ ରିଟୁଇଟ୍‌ ମିଳିଥିଲା ବୋଲି ଟୁଇଟର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ଲେଗ୍‌ ବେଳେ କୋଭିଡ୍‌-୧୯ ମହାମାରୀରେ ବହୁଳ ପ୍ରଭାବିତ ଭାରତକୁ ବିଭିନ୍ନ ହସ୍ପିଟାଲ ଉପକରଣ ପାଇଁ ଏକ କୋଟି ଟଙ୍କା ଦାନ କରିବା ନେଇ କୁମିନ୍ସ ଟୁଇଟର ଯୋଗେ ଘୋଷଣା କରିଥିଲେ। ମହାମାରୀ ବିରୋଧିରେ ଭାରତର ଲଢ଼େଇରେ ସାହାଯ୍ୟର ହାତ ବଢ଼ାଇବାରେ କୁମିନ୍ସ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଥିଲେ।

Share