ନୂଆଦିଲ୍ଲୀ,୧୩।୧୨: ଚଳିତ ବର୍ଷ ଭାରତରେ ଖେଳ ଉପରେ କରାଯାଇଥିବା ଟୁଇଟ୍ ମଧ୍ୟରୁ ଗତ ଆଇପିଏଲ ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା ଲାଗି ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି କରିଥିବା ଟୁଇଟ୍କୁ ମିଳିଛି ସର୍ବାଧିକ ରିଟୁଇଟ୍ ଏବଂ ଲାଇକ୍।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ-୧୪ର ପ୍ରଥମ କ୍ୱାଲିଫାୟାରରେ ଅନ୍ତିମ ଓଭରରେ ରୋମାଞ୍ଚକ ଢ଼ଙ୍ଗରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଜିତାଇ ଫାଇନାଲରେ ପହଞ୍ଚାଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ। ଏହା ଉପରେ କୋହଲି ଟୁଇଟ୍ କରି ଲେଖିଥିଲେ, ”କ୍ରିକେଟ ଇତିହାସର ଶ୍ରେଷ୍ଠ ଫିନିଶର ପୁଣି ଥରେ ଫେରିଛନ୍ତି। ଧୋନୀ ପୁଣି ଥରେ ମୋ ସିଟ୍ରୁ ମୋତେ ଡେଇଁବାକୁ ବାଧ୍ୟ କରିଛନ୍ତି।“ ୩୨ ବର୍ଷୀୟ କ୍ରିକେଟର ଅକ୍ଟୋବର ୧୦ ତାରିଖରେ ଏହି ଟୁଇଟ୍ କରିଥିଲେ। ଏହାକୁ ୫୩୦.୨ ହଜାର ଲାଇକ୍ ମିଳିଛି।
ଏହାଛଡ଼ା ଚଳିତ ବର୍ଷ କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଉପରେ ସର୍ବାଧିକ ଟୁଇଟ୍ କରାଯାଇଛି। ଏହା ପଛକୁ ରହିଛି ଆଇପିଏଲ ୨୦୨୧ ଓ ଟି୨୦ ବିଶ୍ୱକପ୍। ତେବେ ମାଇକ୍ରୋ ବ୍ଲଗିଂ ସାଇଟ୍ରେ ଭାରତୀୟ ଆଥ୍ଲେଟଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ଥିଲେ ଭାରତୀୟ ଟେଷ୍ଟ ଅଧିନାୟକ। ତାଙ୍କ ପଛକୁ ସିଏସ୍କେ ଅଧିନାୟକ ଧୋନୀ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଟି୨୦ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଭାରତୀୟ ବ୍ୟାଟର ବୀରେନ୍ଦ୍ର ସେହ୍ବାଗ ଭଳି କ୍ରିକେଟର ରହିଛନ୍ତି।