ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରୁଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏହି ମୁକାବିଲାରେ ଭାରତୀୟ ଅଧିନାୟକଙ୍କ ପାଖରେ ଅଛି ଏକ ବିରାଟ ରେକର୍ଡ ହାତେଇବାର ସୁଯୋଗ।
୩୩ ବର୍ଷୀୟ କୋହଲିଙ୍କ ନାମରେ ଏବେ ୭୦ ଅନ୍ତର୍ଜାତୀୟ ଶତକ ରହିଛି। ସେଥିରେ ଅଧିନାୟକ ଭାବେ ସେ ୪୧ ଶତକ ହାସଲ କରିଛନ୍ତି। କ୍ୟାପଟେନ ଭାବେ ସର୍ବାଧିକ ଶତକ କରିଥିବା ଖେଳାଳିଙ୍କ ତାଲିକାରେ କୋହଲିଙ୍କ ସହ ମିଳିତ ଶୀର୍ଷରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂ। ଏହି ରେକର୍ଡ ନିଜ ନାମରେ କରିବା ପାଇଁ କୋହଲିଙ୍କୁ ମାତ୍ର ଗୋଟିଏ ଶତକ ଦରକାର।
ତେବେ ଭାରତୀୟ ଦିନିକିଆ ଓ ଟେଷ୍ଟ ଅଧିନାୟକ ଏବେ ସେଭଳି ଟଚ୍ରେ ନାହାନ୍ତି। ଦୁଇ ବର୍ଷ ହେଲା କୌଣସି ଫର୍ମାଟରେ କୋହଲିଙ୍କ ବ୍ୟାଟରୁ ଶତକ ଆସି ନାହିଁ। ୫୬ ଇନିଂସ ତଳେ ସେ ଅନ୍ତିମ ଶତକ ଲଗାଇଥିଲେ।