Categories: ଖେଳ

୩ ବର୍ଷ ପରେ ଦିନିକିଆରେ ଶତକ ମାରିଲେ କୋହଲି

ଚାଟୋଗ୍ରାମ୍‌,୧୦।୧୨: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ବାଲାଂଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଶତକ ମାରି ବଡ ଉପଲବ୍ଧି ହାସଲ କରିଛନ୍ତି। ଅଗଷ୍ଟ ୨୦୧୯ ପରେ ଦିନିକିଆରେ ବିରାଟଙ୍କ ଏହା ପ୍ରଥମ ଶତକ। ୨୫ଟି ଇନିଂସ ପରେ ସେ ନିଜ କ୍ୟାରିୟରର ୪୪ତମ ଦିନିକିଆ ଶତକ ମାରିବାରେ ସଫଳ ହୋଇଛନ୍ତି। ଏହି ଇନିଂସ ସହ ସେ ଅନ୍ତର୍ଜାତୀୟ କ୍ୟାରିୟରରେ ସବୁଠାରୁ ଅଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ବିରାଟଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଏହା ୭୨ତମ ଶତକ ମଧ୍ୟ ହୋଇଥିବାରୁ ସେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି। ପଣ୍ଟିଂ ୭୧ ଅନ୍ତର୍ଜାତୀୟ ଶତକ ମାରିଥିଲେ। ଏବେ କେବଳ ସଚିନ ତେନ୍ଦୁଲକର ସବୁଠାରୁ ଅଧିକ(୧୦୦ ଶତକ) ମାରି ଶୀର୍ଷରେ ଅଛନ୍ତି।

ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ୩ନଂ ଖେଳାଳି ଭାବେ ମଇଦାନକୁ ଓହ୍ଲାଇଥିଲେ ବିରାଟ। ସେ ୮୫ ବଲ୍‌ରେ ୧୧ ଚୌକା ଏବଂ ୧ ଛକା ସହାୟତାରେ ନିଜର ଶତକ ପୂରଣ କରିଛନ୍ତି।

Share