Categories: ଖେଳ

ବୋଲର୍‌ ହେବା ଲାଗି ଝାଳ ବୁହାଉଛନ୍ତି କୋହଲି

ନୂଆଦିଲ୍ଲୀ, ୨୦।୯: ଏବେ ବ୍ୟାଟିଂ ବ୍ୟତିତ ବୋଲିଂ କରିବାକୁ ମନ ବଳାଇଲେଣି ପୂର୍ବ ଭାରତୀୟ ଅଧିନାୟକ ତଥା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ କୋହଲି ପ୍ରାୟ ୩୦ ମିନିଟ୍‌ ଯାଏ ବୋଲିଂ କରୁଥିବା ଦେଖାଯାଇଛି। ଏଥିନେଇ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ବୋଲିଂ କରିପାରନ୍ତି ବୋଲି କୁହାଯାଉଛି।

ତେବେ କୋହଲି ବୋଲିଂ କରୁଥିବା ବେଳର କିଛି ଫଟୋ ପଞ୍ଜାବ କ୍ରିକେଟ ଆସୋସିଏଶନ(ପିସିଏ) ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଫଟୋରେ କୋହଲି ବୋଲିଂ ଅଭ୍ୟାସ କରୁଥିବା ଦେଖାଯାଇଛି। ଏହାକୁ ଶେୟାର କରି ପିସିଏ ଲେଖିଛି, ‘ଦେଖିବା ମ୍ୟାଚ୍‌ରେ କିଏ ଓପନିଂ ବୋଲିଂ କରିବ’। ବିରାଟଙ୍କ ଫଟୋ ଭାଇରାଲ ହେବା ପରେ କିଛି ବ୍ୟବହାରକାରୀ ପ୍ରତିକ୍ରିୟା ଦେଉଛନ୍ତି। ଦଳକୁ ସପ୍ତମ ବୋଲର ମିଳିଯାଇଥିବା କେହି କେହି କହୁଥିବା ଦେଖାଯାଇଛି।

ନିକଟରେ ଏସିଆ କପ୍‌ରେ ହଂକଂ ବିପକ୍ଷରେ ବୋଲିଂ କରିଥିଲେ କୋହଲି। ସେତେବେଳେ ସେ ପ୍ରାୟ ୬ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବୋଲିଂ କରିଥିଲେ। ପୂର୍ବରୁ ସେ ୨୦୧୬ ମାର୍ଚ୍ଚ ୩୧ରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିଥିଲେ।

Share