Categories: ଖେଳ

ପ୍ରଥମଥର ଏମିତି କାମ କରିପାରିଲେ ନାହିଁ ବିରାଟ କୋହଲି

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ରେ ବିରାଟ କୋହଲିଙ୍କ ବ୍ୟାଟ୍‌ ଶାନ୍ତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ୩୭ ରନ ଏବଂ ସେ ସୁପର -୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ଇନିଂସ ଖେଳିଛନ୍ତି। କିନ୍ତୁ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ କୋହଲି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ରିସ ଟୋପଲି ୯ ରନ ସ୍କୋରରେ କୋହଲିଙ୍କୁ ଆଉଟ୍‌ କରିଥିଲେ।
ଆଜି ପର୍ଯ୍ୟନ୍ତ ବିରାଟ ଟି-୨୦ ବିଶ୍ୱକପର ପ୍ରତ୍ୟେକ ସେମିଫାଇନାଲ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଇଂଲଣ୍ଡ ତାଙ୍କୁ ସେମିଫାଇନାଲ ମ୍ୟାଚରେ ଅର୍ଦ୍ଧଶତକ ସ୍କୋର କରିବାରେ ଅଟକାଇବାରେ ସଫଳ ହୋଇଛି।
ବିରାଟ କୋହଲି ୨୦୧୪ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୪୪ଟି ବଲରେ ୭୨ ରନର ଅପରାଜିତ ଇନିଂସ ଖେଳି ଫାଇନାଲକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହା ପରେ ୨୦୧୬ରେ ମଧ୍ୟ ଟିମ ଇଣ୍ଡିଆ ଟପ-୪ରେ ପହଞ୍ଚିଥିଲା। ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହୋଇଥିଲା। ବିରାଟ ୪୭ ବଲରେ ୮୯ ରନ ସଂଗ୍ରହ କରିଥିଲେ ମଧ୍ୟ ସେମିଫାଇନାଲରେ ଭାରତ ୱେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା।
୨୦୨୨ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡର ଆହ୍ବାନର ସମ୍ମୁଖୀନ ହୋଇଥିଲା। କୋହଲି ଭାରତକୁ ୪୦ ବଲରେ ୫୦ ରନ ସ୍କୋର କରି ୧୬୮ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। କିନ୍ତୁ ୨୦୨୪ ବିଶ୍ୱକପରେ ଏହା ପ୍ରଥମ ଥର ପାଇଁ ସେମିଫାଇନାଲ ମ୍ୟାଚରେ କୋହଲି ପଚାଶ ସ୍କୋର କରିନାହାଁନ୍ତି।
ବିରାଟ କୋହଲିଙ୍କ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଏତେ ଖରାପ ଚାଲିଛି ଯେ, ସେ ଏପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ୧୦୦ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। କୋହଲି ଏହି ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୭ ଇନିଂସ ଖେଳିଛନ୍ତି, ଏଥିରେ ସେ ମାତ୍ର ୭୫ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଏହି ୭ ଇନିଂସ ମଧ୍ୟରୁ ସେ ପାଞ୍ଚ ଥର ଦୁଇଅଙ୍କ ସ୍କୋର କରିପାରିନାହାନ୍ତି ଏବଂ ଦୁଇଥର ଶୂନ ସ୍କୋରରେ ଆଉଟ ହୋଇଛନ୍ତି।

Share