ନୂଆଦିଲ୍ଲୀ,୨।୩ : ଭାରତୀୟ ଅଧିନାୟକ ବିରାଟ କୋହଲି ହାସଲ କରିଛନ୍ତି ସ୍ବତନ୍ତ୍ର ଶତକ। ତେବେ ଏଥର କ୍ରିକେଟ ମଇଦାନରେ ନୁହେଁ, ବରଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ। ଏହି ସୋସିଆଲ ମିଡିଆରେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ନିୟୁତ ପାର କରିଛି। ଏଭଳି କୀର୍ତ୍ତିମାନ ଅନ୍ୟ କୌଣସି କ୍ରିକେଟରଙ୍କ ନାମରେ ନାହିଁ। ତେବେ ୩୨ ବର୍ଷୀୟ କୋହଲି ଏସିଆ-ପାସିଫିକର ପ୍ରଥମ ବ୍ୟକ୍ତି ଭାବେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି।
ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁଇଟ୍ କରି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛି। ”କୋହଲି ପ୍ରଥମ କ୍ରିକେଟ ତାରକା, ଯାହାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଇନ୍ଷ୍ଟାଗ୍ରାମରେ ୧୦୦ ନିୟୁତ ପାର କରିଛି“ ବୋଲି ଆଇସିସି ଟୁଇଟ୍ କରିଛି।
ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବାଧିକ ଫଲୋଅର୍ସ ଥିବା କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି କୋହଲି। ୨୬୫ ନିୟୁତ ଫଲୋଅର୍ସ ସହ ଶୀର୍ଷରେ ରହିଛନ୍ତି ପର୍ତ୍ତୁଗାଲ ଫୁଟ୍ବଲ ସୁପର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ତାଙ୍କ ପଛକୁ ରହିଛନ୍ତି ଆର୍ଜେଣ୍ଟିନା ତଥା ବାର୍ସିଲୋନା ଷ୍ଟାର ଲିଓନେଲ ମେସି (୧୮୬ ନିୟୁତ) ଓ ବ୍ରାଜିଲର ନେମାର (୧୪୭ ନିୟୁତ)।