Categories: ଖେଳ

ବାବରଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି

ଅହମ୍ମଦାବାଦ,୧୫।୧୦: ବିଶ୍ୱକପ୍‌ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଉଇକେଟରେ ପରାଜିତ କରିଛି ଭାରତ। ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ପ୍ରଭାବୀ ବୋଲିଂ କାରଣରୁ ବିରୋଧୀ ଟିମ୍‌ ମାତ୍ର ୧୯୧ ରନ୍‌ କରିବାରେ ସଫଳ ହୋଇଥିଲା। ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୧୧୭ ବଲ ଏବଂ ୭ ଉଇକେଟ ଥାଇ ଟାର୍ଗେଟ ପୂରଣ କରିଥିଲେ। ଏହିପରି ଦଳ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଲଗାତର ୮ମ ଥର ବିଜେତା ହେବାର ରେକର୍ଡକୁ ବଜାୟ ରଖିଥିଲା।

ଭାରତ ବିପକ୍ଷରେ ପରାଜିତ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ବିରାଟ କୋହଲିଙ୍କୁ ନିଜର ବିଶ୍ୱକପ୍‌ର ଅଟୋଗ୍ରାଫ ଥିବା ଜର୍ସିକୁ ଦେବାକୁ ଅନୁରୋଧ କରିଥିଲେ। କୋହଲି ତାଙ୍କୁ ନିରାଶ ନ କରି ମଇଦାନ ମଝିରେ ନିଜର ଦସ୍ତଖତ ଥିବା ଜର୍ସି ଉପହାରରେ ଦେଉଥିବା ଦେଖାଯାଇଛି।

ଭାରତ-ପାକିସ୍ତାନ ଖେଳାଳିମାନେ ମଇଦାନରେ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ହେଁ ବିରାଟ-ବାବରଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା କୁହାଯାଏ। କୋହଲି ଖରାପ ଫର୍ମ ଦେଇ ଗତି କରିବା ସମୟରେ ବାବର ଅନେକ ଥର ତାଙ୍କ ସମର୍ଥନରେ ବାହାରିଥିଲେ। ଏପରିକି ନିଜ କ୍ରିକେଟ କ୍ୟାରିୟର ଆରମ୍ଭରୁ ସେ କୋହଲିଙ୍କୁ ନିଜର ଆଦର୍ଶ ବୋଲି ଭାବୁଥିଲେ। ସମୟ ବିତିବା ସହ ତାଙ୍କୁ ଏବେ ବିରାଟଙ୍କ ସହ ତୁଳନା କରାଯାଉଛି। ଏବେ ଦୁହେଁ ଏକାଠି ମ୍ୟାଚ୍‌ ଖେଳିବା ଲାଗି ପରସ୍ପରକୁ ଭେଟିଲେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିବା ଦେଖାଯାଏ।

Share